କନକ ବ୍ୟୁରୋ: ମହଙ୍ଗା ମାଡ଼ ଭିତରୁ ଏବେ ମୋବାଇଲ ରିଚାର୍ଜ ଆହୁରି ମହଙ୍ଗା ହେବାର ଖବର ଆସୁଛି । ଆଗକୁ ମୋବାଇଲ ରିଚାର୍ଜ ଆହୁରି ଅଧିକ ହେବ ବୋଲି ଜାତୀୟ ଗଣମାଧ୍ୟମରେ ହେଡଲାଇନ ପାଲଟିଛି । ଚଳିତ ବର୍ଷର ଦ୍ୱିତୀୟ ଭାଗରେ ଘରୋଇ ଟେଲିକମ୍ କମ୍ପାନି ଗୁଡ଼ିକ ଗ୍ରାହକ ପୁଣିଥରେ ଶୁଳ୍କ ବଢ଼ାଇବା ଉପରେ ବିଚାର ବିମର୍ଶ କରୁଛନ୍ତି । ଯାହାକୁ ନେଇ ଏବେ ଉପଭୋକ୍ତାଙ୍କ ମୁଣ୍ଡରେ ଆଉ ଏକ ମହଙ୍ଗା ଚଡ଼କ ଚିନ୍ତା ଘାରିବାରେ ଲାଗିଛି ।
ଟେଲିକମ୍ ନେଟୱର୍କରେ ନିବେଶ ବଢ଼ାଇବା ଓ ୫ଜି ସ୍ପେକ୍ଟ୍ରମ୍ କିଣିବା ଲାଗି କମ୍ପାନୀ ଗୁଡ଼ିକୁ ଅଧିକରୁ ଅଧିକ ପାଣ୍ଠିର ଆବଶ୍ୟକ । କାହିଁକି ନା, ବର୍ତ୍ତମାନ ଗ୍ରାହକ ପିଛା ଯେତିକି ରାଜସ୍ୱ ଆଦାୟ ହେଉଛି ସେଥିରେ ଏଭଳି ବଡ଼ ଧରଣର ନିବେଶ କରିବା ସମ୍ଭବ ନୁହେଁ । ତେଣୁ ଗ୍ରାହକଙ୍କ ଉପରେ କିଛି ବୋଝ ଲଦିବା ଲାଗି କମ୍ପାନୀ ଗୁଡ଼ିକ ବିଚାର କରୁଥିବା ଖବର ପ୍ରକାଶ ପାଉଛି । ଭାରତୀୟ ଟେଲିକମ୍ ବଜାରରେ ମୁକେଶ ଅମ୍ବାନୀଙ୍କ ଜିଓ ପ୍ରବେଶ କରିବା ପରେ ଅନେକ ଟେଲିକମ୍ କମ୍ପାନୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ଯାହାଫଳରେ ଟେଲିକମ୍ ଶୁଳ୍କ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ହେଲେ ବଜାର ସ୍ଥିର ହୋଇଯିବା ଫଳରେ ପାଣ୍ଠି ଦରକାର ପଡ଼ିବାରୁ ୨୦୧୯ ଡିସେମ୍ବରରୁ କମ୍ପାନିଗୁଡ଼ିକ ପୁଣି ଶୁଳ୍କ ବଢ଼ାଇବା ଆରମ୍ଭ କରିଦେଇଛନ୍ତି ।
ଏପରି କ୍ଷେତ୍ରରେ, ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ୨୦-୨୫ ପ୍ରତିଶତ ବୃଦ୍ଧି ହେବ ବୋଲି ଟେଲିକମ କମ୍ପାନୀ ଗୁଡ଼ିକ ଆଶା କରୁଛନ୍ତି । ୨୦୨୧-୨୨ରେ ଗ୍ରାହକ ପିଛା ରାଜସ୍ୱରେ ମାତ୍ର ୫ପ୍ରତିଶତ ବୃଦ୍ଧି ଘଟିଛି । ତେଣୁ ଚଳିତ ବର୍ଷ ୩.୭୦ କୋଟି ନିଷ୍କ୍ରିୟ ଗ୍ରାହକ ଟେଲିକମ୍ପ ନେଟୱର୍କକୁ ବିଦାୟ ଦେଇଛନ୍ତି । କିନ୍ତୁ ସକ୍ରିୟ ରହୁଥିବା ଗ୍ରାହକଙ୍କ ସଂଖ୍ୟା ୨.୯୦ କୋଟି ବଢ଼ିଛି । ୨୦୧୧ ଅଗଷ୍ଟରୁ ୨୦୨୨ ଫେବୃୟାରୀ ମଧ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା କମିଥିବାବେଳେ ଭାରତୀ ଏୟାରଟେଲ ୨.୧୦ କୋଟି ନୂଆ ଗ୍ରାହକ ପାଇଛି । ଅପରପକ୍ଷେ ଭୋଡାଫୋନ୍ ଆଇଡିଆ ୩ କୋଟି ସକ୍ରିୟ ଗ୍ରାହକ ହରାଇଥିବା ରିପୋର୍ଟ କହୁଛି ।
ତେବେ ଦରଦାମ୍ ବୃଦ୍ଧି ଭିତରେ ଯଦି ଟେଲିକମ କମ୍ପାନୀ ଗୁଡ଼ିକ ନିଜ ନିଜ ନେଟୱର୍କରେ ଥିବା ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼ ଦିଅନ୍ତି । ବା ରିଚାର୍ଜ ଶୁଳ୍କ ଆହୁରି ଅଧିକ ବଢ଼ାନ୍ତି ତେବେ କ୍ରମାଗତ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିବ । ଯାହାକି କମ୍ପାନୀର ଆୟ ବା ରାଜସ୍ୱ ଉପରେ ପ୍ରଭାବ ପକାଇବ ସୁନିଶ୍ଚିତ ।