ଆଗେ ଆଗେ ସହିଦ୍ , ପଛେ ପଛେ ଶତାଧିକ ଲୋକ : ସନ୍ତୋଷ ବାବୁଙ୍କ ଶେଷଦର୍ଶନ ପାଇଁ ଲୋକାରଣ୍ୟ ହେଲା ସୂର୍ଯ୍ୟାପେଟ୍ ସଡ଼କ , କଣ୍ଠରୋଧ ସ୍ୱରରେ ଗୁଞ୍ଜରିତ ହେଲା “ସନ୍ତୋଷ ବାବୁ ଅମର ରହେ” ନାରା । 

916

ଆଗେ ଆଗେ ସହିଦ୍ , ପଛେ ପଛେ ଶତାଧିକ ଲୋକ । କୋହଭରା କଣ୍ଠରେ “ସନ୍ତୋଷ ବାବୁ ଅମର ରହେ” ର ନାରା । ତେଲେଙ୍ଗାନାର ସୂର୍ଯ୍ୟାପେଟ୍ ସଡ଼କରେ ସହିଦ କର୍ଣ୍ଣଲ୍ ସନ୍ତୋଷ ବାବୁଙ୍କ ଯାଉଛି ମରଶରୀର । ଭାରତ ଏବଂ ଚୀନ୍ ସଂଘର୍ଷରେ ସହିଦ୍ ହୋଇଛନ୍ତି କର୍ଣ୍ଣଲ୍ । ୧୬ ତମ ବିହାର ରେଜିମେଣ୍ଟ୍ ର କମାଣ୍ଡିଙ୍ଗ୍ ଅଫିସର୍ ସନ୍ତୋଷ ବାବୁଙ୍କୁ ଶେଷଦର୍ଶନ କରିବାକୁ ପହଁଚିଲା ପୁରା ସହର । ସହିଦଙ୍କ ବିଦାୟ ବେଳରେ ଶେଷଦର୍ଶନ ପାଇଁ ଲୋକାରଣ୍ୟ ହେଲା ସୂର୍ଯ୍ୟାପେଟ୍ ସଡ଼କ । ଶତାଧିକ ଲୋକଙ୍କ ଆଖିରେ ଅଜସ୍ର ଅଶ୍ରୁ , ପାଟିରେ “ବୀର ଯବାନ ଅମର ରହେ” ର ନାରା ଏବଂ ମନରେ ଚୀନ୍ ବିରୁଦ୍ଧରେ ରାଗର ଜ୍ୱାଳା ।

ଗଲବାନ୍ ଘାଟିରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ଭିତରେ ଘଟିଥିବା ହିଂସାତ୍ମକ ଲଢେଇରେ ଭାରତ ତାର ୨୦ ସୁପୁତଙ୍କୁ ହରାଇଲା । ଯେଉଁଥିରେ ଥିଲେ ସହିଦ୍ ସନ୍ତୋଷ ବାବୁ । ସହିଦଙ୍କ ମରଶରୀର ଯେତେବେଳେ ଗାଁରେ ପହଁଚିଲା ଲୋକ ଆଉ କୋହ ସମ୍ଭାଳି ରହିପାରିଲେନି । ଦେଶପାଇଁ ବଳିଦାନ ଦେଇଥିବା ଯବାନଙ୍କ ସମ୍ମାନରେ ଛାତରୁ ପୁଷ୍ପବୃଷ୍ଟି କଲେ। ଶତାଧିକ ଲୋକଙ୍କ କୋହଭରା ସ୍ନେହ ଏବଂ ଗାର୍ଡ଼ ଅଫ୍ ଅନରରେ ସମ୍ମାନିତ ହୋଇ ବିଦାୟ ନେଲେ ଭାରତର ଏହି ବୀର ଯବାନ ।

ତେବେ ଏହି ସମ୍ବେଦନଶୀଳ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କିଛି ବି ହେଇଯାଉ ଭାରତ ନିଜ ମାଟି ମା’ର ରକ୍ଷା ନିଶ୍ଚିତ କରିବ । ଭାରତକୁ ଉସକାଇବା ଭଳି ପଦକ୍ଷେପ ନେଇଥିବା ଚୀନକୁ ତା’ର ଉଚିତ୍ ଜବାବ୍ ଦିଆଯିବ । ବ୍ୟର୍ଥ ଯିବନାହିଁ ଯବାନଙ୍କ ବଳିଦାନ ।