କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ଲାଗିଥିବା ବିବାଦର ହେଲା କି ଅନ୍ତ ! ରେବାନ୍ତ ରେଡ୍ଡୀଙ୍କ ସରକାରରେ ଅକବରୁଦ୍ଦିନ ଓୱେସୀଙ୍କୁ ମିଳିଲା ବଡ ଦାୟିତ୍ୱ

1,634

କନକ ବ୍ୟୁରୋ : କଂଗ୍ରେସ ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ମଧ୍ୟରେ ତେଲେଙ୍ଗାନା ନିର୍ବାଚନ ପ୍ରଚାର କ୍ରମରେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏହି ବିବାଦର ଏବେ ଅନ୍ତ ହୋଇଥିବା ଅନୁମାନ କରାଯାଉଛି । ଗତକାଲି ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକ୍ରମକୁ ସଂଚାଳିତ କରିବା ପାଇଁ ଏଆଇଏମଆଇଏମ ବିଧାୟକ ଅକବରୁଦ୍ଦିନ ଓୱେସୀଙ୍କୁ ଅସ୍ଥାୟୀ ବାଚସ୍ପତି ବା ପ୍ରୋଟମ ସ୍ପିକର ଭାବେ ନିଯୁକ୍ତ ଦିଆଯାଇଥିଲା । ସେ ଏବେ ନବ ନିର୍ବାଚିତ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇବେ ।

ଅସଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନ ଓୱେସୀ ହାଇଦ୍ରାବାଦ ଲୋକସଭା ମଧ୍ୟରେ ଥିବା ଚନ୍ଦ୍ରୟାନଗୁଟ୍ଟା ବିଧାନସଭାରୁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ସେ ଏହି ଆସନରୁ ଲଗାତର ଭାବେ ୩ ଥର ବିଧାୟକ ହେଲେଣି । ଅକବରୁଦ୍ଦିନ ଓୱେସୀ ବିଆରଏସ ପ୍ରାର୍ଥୀ ସୀତାରାମ ରେଡ୍ଡୀଙ୍କୁ ୮୧ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି ।

ଅକବରୁଦ୍ଦିନ ଓୱେସୀଙ୍କ ବିବାଦ ବହୁତ ପୁରୁଣା । ନିର୍ବାଚନ ପ୍ରଚାର ସମୟରେ ସେ ପୋଲିସ ଅଧିକାରୀଙ୍କୁ ଧମକ ଚମକ ଦେଉଥିବା ଦେଖିବାକୁ ମିଳିଥିଲା । ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ କି ସେ ରେଡ୍ଡୀ ହୁଅନ୍ତୁ କି ବାବୁ କିମ୍ବା ରାଓ ସମସ୍ତଙ୍କ ଠାରୁ କାମ ଆଦାୟ କରିବା ସେ ଭଲଭାବେ ଜାଣିଛନ୍ତି ।