ମାଲକାନଗିରିରେ ମାତିଛନ୍ତି ରାଜ୍ୟ ବାହାର ଖଣି ମାଫିଆ । ତେଲେଙ୍ଗାନାକୁ ଯାଉଛି କ୍ୱାର୍ଜ ପଥର ଓ ଗ୍ରାନାଇଟ୍ ।

46

କନକ ବ୍ୟୁରୋ: ଖଣି ମାଫିଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ମାଲକାନଗିରି । ଲଘୁ ଖଣିଜ ପଦାର୍ଥ ଲୁଟିବା ଲାଗି ଆନ୍ଧ୍ର କମ୍ପାନୀକୁ ଖଣି ଗୁଡିକୁ ଟେକି ଦେବାକୁ ମସୁଧା ହୋଇଥିଲା, ସେଇ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ତେଲେଙ୍ଗାନାର ଏକ କମ୍ପାନୀକୁ ଜିଲ୍ଲାରୁ ବହୁ ମୁଲ୍ୟ କ୍ୱାର୍ଜ ଖଣି ଲୁଟ ଘଟଣା ସାମନାକୁ ଆସିଛି । ସେହିଭଳି ବିନା ନଥି ପତ୍ରରେ ଓଡିଶା ଗ୍ରାନାଇଟକୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି ।

ମାଲକାନଗିରିରେ ବଢୁଛି ମାଫିଆ ରାଜ, ଖୁଲମ ଖୋଲା ଚାଲିଛି ଖଣି ଚୋରୀ । ମୋଟୁ ତହସିଲ ଅନ୍ତର୍ଗତ କୁନାଲପାଲି ଅନ୍ତର୍ଗତ କ୍ୱାର୍ଜ ଖଣିରୁ ସ୍ପଷ୍ଟ ଦିବାଲୋକରେ କ୍ୱାର୍ଜ ପଥର ଲୁଟି ନେଉଛି ତେଲେଙ୍ଗାନାର ଏକ କମ୍ପାନୀ । ଏଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କଂଗ୍ରେସ ନେତା କୁନାଲପାଲି ଗସ୍ତ କରି ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି । ୨ ବର୍ଷ ଧରି ଖଣି ଲୁଟ୍ ହେଉଥିବା ବେଳେ ସବୁ ଜାଣି ପ୍ରଶାସନ ଚୁପ ବସିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଖଣି ଚୋରି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ସେହିପରି ଆନ୍ଧ୍ରର ଭିଜି ଗ୍ରାନାଇଟ ନାମକ ଏକ ଘରୋଇ କମ୍ପାନୀକୁ ମୋଟୁ ତହସିଲ ଅନ୍ତର୍ଗତ ପେଟା ଖଣିରୁ ଗ୍ରାନାଇଟ ଖନନ ଲାଗି ଅନୁମିତି ମିଳିଛି । ସମ୍ପୃକ୍ତ କମ୍ପାନୀ ବିନା ବୈଧ କାଗଜ ପତ୍ରରେ ଅବାଧରେ ଗ୍ରାନାଇଟ ଲୁଟି ନେଉଥିବା ଅଭିଯୋଗ ହୋଇଛି । ଶୁକ୍ରବାର କମ୍ପାନୀର ୯ଟି ଗ୍ରାନାଇଟ ବୋଝେଇ ଗାଡିକୁ ମୋଟୁ ପୁଲିସ ୧୮ ଘଣ୍ଟା ଧରି ଅଟକ ରଖିବା ପରେ ଏମଭି ଯାଞ୍ଚର କଥା କହି ଛାଡି ଦେଇଛି । ଖଣି ପର୍ମିଟ୍, ରୟାଲଟି ବା ଟିକସ ସମ୍ପର୍କିତ କାଗଜ ପତ୍ର ନଥାଇ ବି ଗାଡି ଗୁଡିକୁ ଛାଡି ଦିଆଯାଇଥିବା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ।

ତେବେ ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବିବାଦ ନେଇ କାଠଗଡାକୁ ଆସିଥିଲେ ତତକାଳୀନ ଜିଲ୍ଲାପାଳ ଓ ପ୍ରଶାସନିକ କଳ । ସେହି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ବହୁ ମୁଲ୍ୟ କ୍ୱାର୍ଜ ଓ ଗ୍ରାନାଇଟ ଖଣି ଖଦାନ ଚୋରି ଘଟଣାକୁ ନେଇ ପୁଣି ଚର୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ।