ଚିନ୍ତା ବଢାଇଛି କରୋନା ଦ୍ୱିତୀୟ ଲହର : ରାଜ୍ୟରେ ମାସ୍କ ଚେକିଂ କଡାକଡି କଲେ ତେଲେଙ୍ଗାନା ସରକାର; ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ହଜାରେ ଟଙ୍କା ଜରିମାନା

107

କନକ ବ୍ୟୁରୋ : ତେଲେଙ୍ଗାନାରେ ଚିନ୍ତା ବଢାଇଛି କରୋନା ଦ୍ୱିତୀୟ ଲହର । ରାଜ୍ୟରେ ମାସ୍କ ଚେକିଂ କଡାକଡି କଲେ ତେଲେଙ୍ଗାନା ସରକାର । ମାସ୍କ ନପିନ୍ଧିଲେ ଜଣକ ପିଛା ଗଣିବାକୁ ପଡିବ ହଜାରେ ଟଙ୍କା ଜରିମାନା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ସେ କହିଛନ୍ତି, ଯେଉଁ ବ୍ୟକ୍ତି ମାସ୍କ ପିନ୍ଧିବେନି ସେମାନଙ୍କ ଠାରୁ ହଜାରେ ଟଙ୍କା ଜରିମାନା ଆଦାୟ ହେବ ।

ଏଥି ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମସ୍ତ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଏବଂ ହାଇଦ୍ରାବାଦ, ରଙ୍ଗାରେଡି ଏବଂ ମେଡଚେଲ ଜିଲ୍ଲା ପରି ସ୍ଥାନରେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । କରୋନା ମାମଲା ବୃଦ୍ଧି ପାଉଥିବାରୁ କରୋନା ପରୀକ୍ଷା ବୃଦ୍ଧି କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଶତକଡ଼ା ଟୀକାକରଣ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏଥି ସହିତ ଯେଉଁମାନେ ୪୫ ବର୍ଷ ବୟସ ସୀମା ଅତିକ୍ରମ କରିଛନ୍ତି ସେମାନଙ୍କୁ ଟୀକାକରଣ କରିବାକୁ ସେ ଅନୁରୋଧ କରିଛନ୍ତି ।