ଦେଶରେ ବଢୁଛି ବ୍ଲାକ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା । ରାଜସ୍ଥାନ ପରେ ତେଲେଙ୍ଗାନା ସରକାର ବି ବ୍ଲାକ ଫଙ୍ଗସ୍ କୁ ଘୋଷଣା କଲେ ମହାମାରୀ

332

କନକ ବ୍ୟୁରୋ : କରୋନା ସଂକ୍ରମଣ ସହିତ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣ ଏବେ ଦେଶର ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ବ୍ଲାକ ଫଙ୍ଗସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ଗତକାଲି ରାଜସ୍ଥାନ ସରକାର ଏହି ରୋଗକୁ ମହାମାରୀ ଭାବେ ଘୋଷଣା କରିଥିବା ବେଳେ ଆଜି ତେଲେଙ୍ଗାନା ସରକାର ବି ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ।

କହିରଖୁ କି କରୋନା ସଂକ୍ରମିତଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି । ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ତାଡିବାକୁ ଡାକ୍ତରମାନେ ବାଧ୍ୟ ହେଉଛନ୍ତି । ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିର୍ଦ୍ଦେଶ ମୁତାବକ ଏହି ରୋଗରେ ପୀଡିତ ହୋଇ ଆସୁଥିବା ଲୋକମାନଙ୍କର ସୂଚନା ତୁରନ୍ତ ସରକାରଙ୍କ ନିକଟରେ ପହଂଚାଇବାକୁ କୁହାଯାଇଛି ।

ଅନ୍ୟପଟେ କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ମହାରାଷ୍ଟ୍ରରେ ଏବେ ସଂକ୍ରମଣ ହାର କମିଥିବା ବେଳେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି । ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ଜୀବନ ଯାଇଥିବା କଥା କୁହାଯାଇଛି । ଏହାସହ ୧୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।