ଏଲୋପାଥି ନେଇ ବାବା ରାମଦେବଙ୍କ ବୟାନକୁ ବିରୋଧ : ଆଜି କଳାଦିବସ ପାଳନ କରିବ ରେସିଡେଂଟ ଡକ୍ଟରସ ଆସୋସିଏସନ

227

କନକ ବ୍ୟୁରୋ : ଯୋଗ ଗୁରୁ ବାବା ରାମଦେବଙ୍କ ବୟାନକୁ ବିରୋଧ କରି କଳା ଦିବସ ପାଳିବ ଫେଡେରସନ ଅଫ ରେସିଡେଂଟ ଡକ୍ଟରସ ଆସୋସିଏସନ, ଫୋର୍ଡା । ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦେଇଛି ଏହି ସଂଘ । ଏହା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ସଂଘ କହିଛି । ଏଲୋପାଥି ସମ୍ପର୍କରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ ବାବା ରାମଦେବ । ଏହାକୁ ଇଣ୍ଡିଆନ ମେଡିକାଲ ସଂଘ ଦୃଢ ବିରୋଧ କରିଥିଲା ।

ଦିଲ୍ଲୀରେ ବାବାଙ୍କ ନାଁରେ ମାମଲା ରୁଜୁ କରିଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏତଲାରେ କୁହାଯାଇଥିଲା , ବାବା ରାମଦେବ ଟିକାକୁ ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛନ୍ତି । ଏପରିକି ଖରାପ ଉଦ୍ଦେଶ୍ୟ ରଖି ବାବା ରାମଦେବ ଓ ତାଙ୍କ ସହଯୋଗୀ ସମୁଦାୟ ସ୍ୱାସ୍ଥ୍ୟସେବା ଓ ଲୋକଙ୍କ କ୍ଷତି କରିଛନ୍ତିା ଏପରିକି ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।

ସେହିପରି ହଜାରେ କୋଟିର ମାନହାନି ନୋଟିସ ମଧ୍ୟ ଆଇଏମଏ ଦେଇଛି । ବାବ ରାମଦେବ କହିଥିଲେ, ଯେତେଲୋକ ଡାକ୍ତରଖାନାରେ ଚିକିତ୍ସା କିମ୍ବା ଅକ୍ସିଜେନ ନ ପାଇ ପ୍ରାଣ ହରାଇଛନ୍ତି, ତାଠାରୁ ଅଧିକ ଲୋକ ଏଲୋପାଥି ଔଷଧ ଖାଇ ପ୍ରାଣ ହରାଇଛନ୍ତି ।