କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ତେଲେଙ୍ଗାନାରେ ବିଆରଏସକୁ ହରାଇ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି  । ଏହାକୁ ନେଇ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ ତ ସେପଟେ ଭୋଟିଂ କ୍ରମରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କ ପାଇଁ ମହଙ୍ଗା ପଡିଛି । ସୂତ୍ର ସୂଚନା ମୁତାବକ ନିର୍ବାଚନ ଆୟୋଗ ଆଦର୍ଶ ଆଚାର ସଂହିତ ଉଲଙ୍ଘନ ଅଭିଯୋଗରେ ତେଲେଙ୍ଗାନାର ପୋଲିସ ଡିଜିପି ଅଞ୍ଜନୀ କୁମାରଙ୍କୁ ସସପେଣ୍ଡ କରିଛନ୍ତି ।

Advertisment

ନିର୍ବାଚନ ଆୟୋଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାରଙ୍କୁ ଛଟେଇ କରିବାକୁ ସୁପାରିଶ କରିଛନ୍ତି । ଏବେ ମୁଖ୍ୟ ସଚିବ ଡିଜିପିଙ୍କୁ ଛଟେଇ କରିବା ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ ରବିବାର ସକାଳେ ଡିଜିପି ଅଞ୍ଜନୀ କୁମାର ରାଜ୍ୟ ପୋଲିସର ନୋଡାଲ ଅଧିକାରୀ ସଂଜୟ ଜୈନ ଓ ନୋଡାଲ ଅଧିକାରୀ ମହେଶ ଭାଗବତଙ୍କୁ ସାଥିରେ ନେଇ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀଙ୍କୁ ଭେଟିଥିଲେ ଓ ଫୁଲ ଉପହାର ଦେଇଥିଲେ । ଏହି ଭେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ବାଚନ ଆୟୋଗ ତଥ୍ୟ ଯୋଗାଡ କରିଥିଲେ । ଏହାପରେ ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଡିଜିପିଙ୍କୁ ଛଟେଇ କରିବାକୁ ସୁପାରିଶ କରିଛନ୍ତି ।