କନକ ବ୍ୟୁରୋ : ଦେଶ ରାଜନୀତିରେ ପୁଣିଥରେ ତୃତୀୟ ସାମୁଖ୍ୟ ଗଠନ ନେଇ ଜୋର ଧରିଛି ପ୍ରସ୍ତୁତି । ଅଣ ବିଜେପି ଓ ଅଣ କଂଗ୍ରେସ ଦଳମାନେ ତୃତୀୟ ସାମୁଖ୍ୟ ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆଞ୍ଚଳିକ ଦଳମାନଙ୍କୁ ଏକଜୁଟ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରବିବାର ଦିନ ମୁମ୍ବାଇରେ ପହଂଚି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭେଟ କରିଛନ୍ତି ।

Advertisment

ଏହି ଭେଟ ବେଳେ କେସିଆର ଓ ଉଦ୍ଧବ ଠାକରେ ସାଥିରେ ମଧ୍ୟାହ୍ନ ଭୋଜନ କରିଥିବା ଦେଖିବାକୁ ମିଳିଥିଲା । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ବୈଠକ ପରେ କେସିଆର କହିଛନ୍ତି କି ଏହି ବୈଠକରେ ଦେଶର ରାଜନୀତି, ବିକାଶର ଗତି ଓ ସ୍ୱାଧୀନତାର ୭୫ ବର୍ଷ ପରେ ଦେଶର ସ୍ଥିତି ଉପରେ ଆଲୋଚନା କରିବାକୁ ସେ ମହାରାଷ୍ଟ୍ର ଆସିଥିଲେ ।

କେ. ଚନ୍ଦ୍ରଶେଖର ରାଓ କହିଛନ୍ତି କି, ଏହି ବୈଠକରେ ଉଭୟଙ୍କ ମଧ୍ୟରେ ଅନେକ ବିଷୟରେ ଚର୍ଚ୍ଚା ହୋଇଛି ଓ ଅନେକ ପ୍ରସଙ୍ଗରେ ଉଭୟଙ୍କ ସହମତି ରହିଛି । ଏହାସହ ଆଗକୁ ଉଭୟ ମିଳିତ ଭାବେ କାମ କରିବେ ବୋଲି ରାଓ କହିଛନ୍ତି । ଅନ୍ୟପଟେ କେବଳ ଶିବସେନା କି ଟିଆରଏସ ନୁହଁନ୍ତି ତାଙ୍କ ସହିତ ଦେଶର ଅନେକ ରାଜନୈତିକଦଳର ସହମତି ରହିଥିବା କଥା ସେ କହିଛନ୍ତି । ସେମାନଙ୍କ ସହିତ ଉଦ୍ଧବ ଠାକରେ ଓ ରାଓଙ୍କର କଥାବାର୍ତ୍ତା ଚାଲିଥିବା କଥା ସେ କହିଛନ୍ତି । ଏନେଇ ଆଗକୁ ହାଇଦ୍ରାବାଦ କିମ୍ବା ଅନ୍ୟ କୌଣସି ସ୍ଥାନରେ ଅଣ ବିଜେପି ଓ ଅଣ କଂଗ୍ରେସ ଦଳମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ସେ ସଂକେତ ଦେଇଛନ୍ତି ।

ସେପଟେ ବୈଠକ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପିର ଜନବିରୋଧୀ ନୀତି ଓ ଦେଶର ସଂଘୀୟ ଭାବନାକୁ ମଜବୁତ କରିବାକୁ ବିରୋଧୀଦଳ ମାନଙ୍କର ଲଢେଇକୁ ପୁର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି ।