କନକ ବ୍ୟୁରୋ : ଶାସନ କ୍ଷମତାରେ ଥିବା ବିଜେପିକୁ କ୍ଷମତାରୁ ହଟାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହ୍ୱାନ ଦେବାର ମାତ୍ର କିଛି ଦିନ ପରେ ଆଜି ମୁମ୍ବାଇ ଯାଉଛନ୍ତି । ସେଠାରେ ସେ ନିଜ ସମକକ୍ଷ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ବୈଠକ କରିବେ ବୋଲି ଜଣାପଡିଛି । ଏହି ବୈଠକରେ କେସିଆର ଓ ଉଦ୍ଧବଙ୍କ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Advertisment

ତେଲେଙ୍ଗାନା ରାଷ୍ଟ୍ର ସମିତି ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଉଦ୍ଧବ ଠାକରେ କେସିଆରଙ୍କୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହା ସହ ବୈଠକରେ ଜାତୀୟ ରାଜନୀତି ବାବଦରେ ଚର୍ଚ୍ଚା ହେବ ବୋଲି ଟିଆରଏସ ପକ୍ଷରୁ କୁହାଯାଇଛି ।
କହିରଖୁ କି କିଛିଦିନ ତଳେ କେ. ଚନ୍ଦ୍ରଶେଖର ରାଓ ବିଜେପି ଉପରେ ପ୍ରବଳ ବର୍ଷିଥିଲେ । ସେ କହିଥିଲେ କି ସେମାନଙ୍କୁ (ବିଜେପି)କୁ କ୍ଷମତାରୁ ହଟାଇବାର ସମୟ ଆସିଛି , ନହେଲେ ସେମାନେ ଦେଶକୁ ବରବାଦ କରିଦେବେ । କେବଳ ସେତିକି ନୁହେଁ ବିଜେପିକୁ କ୍ଷମତାରୁ ବାହାର କରିବାକୁ ସମସ୍ତ ରାଜନୈତିକ ଦଳମାନେ ଗୋଟିଏ ମଞ୍ଚକୁ ଆସିବାକୁ ସେ ଆହ୍ୱାନ କରିଥିଲେ ।

ଏହି କ୍ରମରେ ସେ ଆଜି ପ୍ରଥମଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ମୁଖଞ ଶରଦ ପାୱାରଙ୍କୁ ଭେଟିବାକୁ ଯାଇଛନ୍ତି । ଏହାପରେ କେସିଆର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟ କରିବେ ବୋଲି ଜଣାପଡିଛି । ଏସବୁ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା କେସିଆରଙ୍କୁ ସମର୍ଥନ ଜଣାଇଥିଲେ । ଏହାସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାର୍ଲିିନ କହିଛନ୍ତି କି ଅଣ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଖୁବଶୀଘ୍ର ଦିଲ୍ଲୀରେ ଏକ ବୈଠକ କରିବେ ।