ମୃତ ଚାଷୀଙ୍କ ପରିବାରକୁ ମିଳିବ ୩ ଲକ୍ଷ କ୍ଷତିପୂରଣ । ଏହି ରାଜ୍ୟ କଲେ ବଡ ଘୋଷଣା ।

234

କନକ ବ୍ୟୁରୋ: ଦୀର୍ଘ ଦିନ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ପରେ ବଦଳିଛି ଚାଷୀଙ୍କ ସ୍ୱର । ନୂଆ କୃଷି ନିୟମକୁ ପ୍ରତ୍ୟାହାର କରିନେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏବେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା ହୋଇଛି । ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ଟିଆରଏସ ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ‘ ଆନ୍ଦୋଳନ ମଧ୍ୟରେ ପ୍ରାଣ ହରାଇଥିବା କୃଷକଙ୍କ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଦିଆଯିବ । ଏହାସହ କେନ୍ଦ୍ର ସରକାର ମଧ୍ୟ ମୃତ ଚାଷୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବା ଉଚିତ’ । କେବଳ ଏତିକି ନୁହେଁ ଆନ୍ଦୋଳନ ସମୟରେ ଚାଷୀଙ୍କ ଉପରେ ଦାଏର ହୋଇଥିବା ମାମଲାକୁ ମଧ୍ୟ ଯଥାଶିଘ୍ର ପ୍ରତ୍ୟାହାର କରିନିଆଯାଉ । ଏହାଦ୍ୱାରା କୃଷକଙ୍କ ପରିବାର ଆଶ୍ୱସ୍ତ ହେବେ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର କହିଛନ୍ତି ।

ଶିଖ ମାନଙ୍କର ମୁଖ୍ୟ ପର୍ବ ଗୁରୁ ପର୍ବ ପୂର୍ବରୁ ନୂଆ କୃଷି ନୀତି ପ୍ରତ୍ୟାହାର କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ‘ଚାଷୀ ଭାଇଙ୍କ ହିତ ପାଇଁ ଏହି ଆଇନ୍ ପ୍ରସ୍ତୁତ ହୋଇଥିଲା । ହେଲେ ସାଧନାରେ କିଛି ତ୍ରୁଟି ରହିଗଲା ବୋଧହୁଏ । ଯାହା ଫଳରେ କିଛି ଚାଷୀ ଭାଇଙ୍କୁ ଏହାର ସୁଫଳ ବୁଝାଇବାକୁ ଅସମର୍ଥ ହେଲା ଆମ ସରକାର । ତେଣୁ ଏହି ନୂୁଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଛି । ଯଥାଶିଘ୍ର ଏନେଇ ସଂସଦରେ ପ୍ରସ୍ତାବ ପାରିତ ହୋଇଯିବ । ତେଣୁ ଚାଷୀ ଭାଇମାନେ ଏବେ ନିଜ ନିଜ ଘରକୁ ଫେରିଯାଆନ୍ତ’ୁ ବୋଲି ମୋଦୀ ଅନୁରୋଧ କରିଥିଲେ ।