କନକ ବ୍ୟୁରୋ : ଆପଣ ଯେ କୌଣସି ଚାକିରୀ କରନ୍ତୁ ନା କାହିଁକି ସମସ୍ତ ସ୍ଥାନରେ କର୍ମଚାରୀଙ୍କ ଛୁଟିକୁ ନେଇ ବାରମ୍ବାର ବିବାଦ ଦେଖିବାକୁ ମିଳିଥାଏ । କେତେବେଳ ସହକର୍ମୀଙ୍କ ପାଇଁ ତୁମକୁ ଠିକ୍ ସମୟରେ ଛୁଟି ମିଳି ନଥାଏ ତ କେଉଁଠି ଆବଶ୍ୟକ ଠାରୁ ଅଧିକ ଛୁଟି ନେବା କାରଣରୁ ଦରମା କଟିଥାଏ । ସୋସିଆଲ ମିଡିଆରେ ମଧ୍ୟ ଛୁଟିକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ହେଲେ ଏବେ ଏକ ପୋଷ୍ଟ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ପୋଷ୍ଟ ମୁତାବକ ଜଣେ ବ୍ୟକ୍ତି ଏକ ନିଆରା ରେକର୍ଡ କରିଛନ୍ତି ।

Advertisment

ଉତ୍ତର ପ୍ରଦେଶର ବିଜନୌରରେ ରହୁଥିବା ତେଜପାଲ ସିଂ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । କୁହାଯାଉଛି କି, ତେଜପାଲ ସିଂ ତାଙ୍କ ୨୬ ବର୍ଷ ଚାକିରୀକାଳ ମଧ୍ୟରେ ମାତ୍ର ଗୋଟିଏ ଦିନ ଛୁଟି ନେଇଛନ୍ତି । ଏଥିପାଇଁ ଏବେ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । କୁହାଯାଇଛି କି, ତେଜପାଲ ସିଂ ରବିବାର ମଧ୍ୟ ଅଫିସରେ ଉପସ୍ଥିତ ରୁହନ୍ତି ।

ଗୋଟିଏ ପଟେ କର୍ପୋରେଟ କାର୍ଯ୍ୟାଳୟରେ ସପ୍ତାହକୁ ୩ ଦିନ ଛୁଟି ପାଇଁ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ତେଜପାଲ ସିଂ ତାଙ୍କ କାମକୁ ନେଇ ନିଆରା ରେକର୍ଡ କରିଛନ୍ତି । କୁହାଯାଉଛି କି, ତେଜପାଲ ସିଂ ହୋଲି, ଦିପାବଳୀ, ଦଶହରା ଭଳି ସ୍ୱତନ୍ତ୍ର ଛୁଟି କଥା ଛାଡନ୍ତୁ ଛୁଟିଦିନ ରବିବାରରେ ମଧ୍ୟ ସେ କାର୍ଯ୍ୟାଳୟରେ ଉପସ୍ଥିତ ରହିଥାନ୍ତି । ତେଜପାଲ ୧୯୯୫ ମସିହାରୁ ଆଜି ପର୍ଯ୍ୟନ୍ତ ବିଜନୌରର ଏକ ଚିନି କଳରେ କାମ କରୁଛନ୍ତି । କମ୍ପାନୀର ନିୟମ ମୁତାବକ କର୍ମଚାରୀଙ୍କୁ ବାର୍ଷିକ ୪୫ ଦିନ ଛୁଟି ମିଳିଥାଏ । ହେଲେ ତେଜପାଲ ସିଂ ମାତ୍ର ଗୋଟିଏ ଦିନ ଛୁଟି ନେଇଛନ୍ତି । ଏନେଇ ତେଜପାଲ କହିଛନ୍ତି କି କମ୍ପାନୀ ତରଫରୁ କୌଣସି ବାଧ୍ୟବାଧକତା ନଥିଲା, ଏହା ସେ ନିଜ ଇଚ୍ଛାରେ କରିଛନ୍ତି ।