ଲାଲୁଙ୍କ ଘରେ ବାଜିବ ସାହାନାଇ । ଦିଲ୍ଲୀରେ ହେବ ନିର୍ବନ୍ଧ, ଖୁବଶୀଘ୍ର ବର ସାଜିବେ ତେଜସ୍ୱୀ ।

221

କନକ ବ୍ୟୁରୋ : ଖୁବଶୀଘ୍ର ଲାଲୁଙ୍କ ଘରେ ବାଜିବ ସାହାନାଇ । ହାତକୁ ଦି ହାତ ହେବେ ଲାଲୁଙ୍କ ସାନପୁଅ ତେଜସ୍ୱୀ ଯାଦବ । ବିହାରରେ ବିରୋଧୀ ଦଳ ନେତା ରହିଥିବା ତେଜସ୍ୱୀ ଯାଦବଙ୍କର ବାହାଘର ଠିକ୍ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦିଲ୍ଲୀରେ ଖୁବଶୀଘ୍ର ତେଜସ୍ୱୀଙ୍କର ନିର୍ବନ୍ଧ ହେବ, ଯେଉଁଥିପାଇଁ ଲାଲୁଙ୍କ ପୂରା ପରିବାର ଏବେ ଦିଲ୍ଲୀରେ ଅଛନ୍ତି । ତେଜସ୍ୱୀ, ଭାଇ ତେଜପ୍ରତାପ, ବାପା ଲାଲୁ, ମା’ ରାବ୍ରୀ ଦେବୀ, ଭଉଣୀ ମିସା ଭାରତୀଙ୍କ ସମେତ ଅନ୍ୟ ପରିବାର ଲୋକ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । କୁହାଯାଉଛି ଏହି ନିର୍ବନ୍ଧରେ ପରିବାର ଲୋକଙ୍କ ସହ କିଛି ଘନିଷ୍ଠ ସର୍ମ୍ପକୀୟ ସାମିଲ ହେବେ ।

ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିବର୍ନ୍ଧ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପୂର୍ବରୁ ଅନେକଥର କ୍ୟାମେରା ସାମ୍ନାରେ ବିବାହକୁ ନେଇ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ଏହାକୁ ଏଡାଇ ଯାଆନ୍ତି ତେଜସ୍ୱୀ । ଏପରିକି ୨୦୨୦ ନିର୍ବାଚନ ଶେଷ ହେବା ସହ ବାପା ଲାଲୁଙ୍କୁ ଜାମିନ ମିଳିବା ପରେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ସଂକେତ ଦେଇଥିଲେ ତେଜସ୍ୱୀ । ଆଉ ଏବେ ଏହା ପୂରା ହେବାକୁ ଯାଉଛି । ଏହାସହ ଦୀର୍ଘ ଦିନ ପରେ ପୁଣିଥରେ ଲାଲୁଙ୍କ ଘରେ ସାହାନାଇ ବାଜିବ ବୋଲି ଜଣାପଡିଛି । ତେବେ ଏହି ନିବର୍ନ୍ଧକୁ ଅତି ଗୋପନୀୟ ରଖାଯାଇଛି । ଏପରିକି କାହା ସହ ତେଜସ୍ୱୀଙ୍କର ନିବର୍ନ୍ଧ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଲାଲୁଙ୍କର ୭ ଝିଅ ଓ ୨ ପୁଅ ଥିବା ବେଳେ ସମସ୍ତେ ବିବାହ କରି ସାରିଛନ୍ତି । ତେଜସ୍ୱୀ ସବୁଠୁ ସାନ ଥିବା ବେଳେ ଲାଲୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ନିଜକୁ ସାମ୍ନାକୁ ଆଣୁଛନ୍ତି । ଲାଲୁଙ୍କ ଅନୁପସ୍ଥିତିରେ ତେଜସ୍ୱୀ ହିଁ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବା ବେଳେ ଏବେ ବିରୋଧୀ ଦଳ ନେତା ରହିଛନ୍ତି । ଏହାପୂର୍ବରୁ ବଡଭାଇ ତେଜପ୍ରତାପଙ୍କର ବିବାହ ୨୦୧୮ରେ ହୋଇଥିଲା । କିନ୍ତୁ ଏହି ବାହାଘର ବେଶି ଦିନ ତିଷ୍ଠି ନଥିଲା । ବଡ ହାଇଭୋଲଟେଜ ଡ୍ରାମା ପରେ ତେଜସ୍ୱୀଙ୍କର ବଡଭାଇଙ୍କର ବିବାହ ବିଚ୍ଛେଦ ହୋଇଥିଲା ।