ପୁଣି ଏନଡିଏରୁ ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ନିତୀଶ କୁମାର । ଆଜି ଅପରାହ୍ନରେ ଶପଥ ଗ୍ରହଣ । ଉତ୍ସବରୁ ଦୂରେଇ ରହିବେ ତେଜସ୍ୱୀ

488

କନକ ବ୍ୟୁରୋ : ବିହାରରେ ପୁଣି ଏନଡିଏ ସରକାର କରିବାକୁ ଯାଉଛି । କମ୍ ଆସନରେ ବିଜୟୀ ହୋଇଥିଲେ ବି କଥାରକ୍ଷା କରି ବିଜେପି ପୁଣି ଜେଡିୟୁକୁ ମୁଖ୍ୟମନ୍ତ୍ରୀ ପଦ ଛାଡିଛି । ଆଜି (ସୋମବାର) ନିତୀଶ କୁମାର ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ୧୫ ଜଣ ମନ୍ତ୍ରୀ ଶପଥ ନେବେ । ରାଜଭବନ ପରିସରରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଶପଥ ଗ୍ରହଣ ଉତ୍ସବ । ଏହା ଅପରାହ୍ନ ୪ ଟାରେ ହେବ ବୋଲି ସୂଚନା ମିଳିଛି । ଏନେଇ ବିଧି ମୁତାବକ ବିରୋଧୀ ମହାଗଠବନ୍ଧନକୁ ଏନଡଇଏ ତରଫରୁ ନିମନ୍ତ୍ରଣ କରାଯାଇଥିଲେ ବି ମହାଗଠବନ୍ଧନର ନେତା ତଥା ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଏହି ଶପଥ ଗ୍ରହଣ ସମାରୋହରୁ ଦୂରେଇ ରହିବେ ବୋଲି ଜଣାପଡିଛି । ହେଲେ ଦୂରେଇ ରହିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ହେଲେ ପୂର୍ବରୁ ତେଜସ୍ୱୀ ଭୋଟ ଗଣତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି ଯୋଜନାବଦ୍ଧ ଭାବେ ଏନଡିଏ ମହାଗଠବନ୍ଧନର ଆସନ ହାତେଇ ନେଇଛି । ଏହି ଭୂଲ ଗଣନା ଯୋଗୁଁ ଏନଡିଏ ଆଜି ବିହାରରେ ସରକାର କରିବାକୁ ଯାଉଛି । କିନ୍ତୁ ବିହାରବାସୀଙ୍କ ସମର୍ଥନ ମହାମେଣ୍ଟ ପ୍ରତି ରହିଥିବା ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କହିରଖୁ କି ନିର୍ବାଚନୀ ରାଲିର ଦୃଶ୍ୟ ଓ ମତଦାନ ପରେ ଏକଜିଟ୍ ପୋଲ ମୁତାବକ ତେଜସ୍ୱୀ ବିହାରର ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ସ୍ଥିର ହୋଇ ସାରିଥିଲା । ହେଲେ ଭୋଟ ଗଣତି ପରେ ମାତ୍ର ଅଳ୍ପ କେତେ ଆସନ ପାଇଁ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଛନ୍ତି ।