ମୋ ଦେହରେ ଲାଲୁଙ୍କ ରକ୍ତ ବହୁଛି, ସଂଘର୍ଷ ଓ ଲଢେଇ କରିବା ଶିଖିଛୁ । କିନ୍ତୁ ନୀତିଶ କୁମାର ଆଉ ପଲଟିବେନି ବୋଲି ମୋଦୀ ଗ୍ୟାରେଣ୍ଟି ଦିଅନ୍ତୁ : ତେଜସ୍ୱୀ ଯାଦବ

436

କନକ ବ୍ୟୁରୋ : ଆସ୍ଥା ଭୋଟ ପୂର୍ବରୁ ବିହାର ବିଧାନସଭାରେ ନୀତିଶଙ୍କ ଉପରେ ବର୍ଷିଛନ୍ତି ତେଜସ୍ୱୀ ଯାଦବ । କେମିତି ନୀତିଶ କୁମାର ପଲଟିଗଲେ ବୋଲି ପ୍ରଶ୍ନ କରିଛନ୍ତି । ଯିଏ ମୋଦୀଙ୍କ ଏକଛତ୍ରବାଦ ନୀତିକୁ ବିରୋଧ କରି ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ସିଏ କିଭଳି ଏନଡିଏ ପୁଣିଥରେ ସାମିଲ ହେଲେ ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ୱୀ । ଗୋଟିଏ ପାଳିରେ ୩ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ରେକର୍ଡ ନୀତିଶ କରିଛନ୍ତି । ବିଜେପି ବାରମ୍ବାର ମୋଦୀ ଗ୍ୟାରେଣ୍ଟିର କଥା କହୁଛନ୍ତି । ମୋଦୀ ଗ୍ୟାରେଣ୍ଟି ଦେବେ କି ନୀତିଶ ଆଉ ଥରେ ପଲଟିବେନି ବୋଲି ।

ସେହିଭଳି ତେଜସ୍ୱୀ କହିଛନ୍ତି, ନୀତିଶଙ୍କୁ ସମ୍ମାନ କରୁଥିଲି ଏବଂ ଆଗକୁ ମଧ୍ୟ କରିବି । ମୋତେ ସେ ନିଜର ପୁଅ ବୋଲି କହୁଥିଲେ । ସବୁ ବେଳେ ଆଗକୁ ବଢିବାକୁ କହୁଥିଲେ । କିନ୍ତୁ ଏବେ ଯେଉଁ ସ୍ଥିତି ଉତ୍ପନ୍ନ ହୋଇଛି ତାହାକୁ ଦେଖି ବିହାରର ଲୋକେ ପଚାରିଲେଣି ନୀତିଶ କୁମାର କାହିଁକି ବାରମ୍ବାର ଏପଟସେପଟ ହେଉଛନ୍ତି । ନୀତିଶ ପୂର୍ବରୁ କହିଥିଲେ ମରିଯିବି ପଛେ ଏନଡିଏକୁ ଫେରିବିନି । କିନ୍ତୁ ଏବେ ଜେଡିୟୁ ବିଧାୟକଙ୍କ ପାଇଁ ମୋତେ ଦୁଃଖ ଲାଗୁଛି । କାରଣ ସେମାନେ ଜନତାଙ୍କୁ ଯାଇ କଣ କହିବେ । ଜେଡିୟୁ ବିଧାୟକଙ୍କ ପାଖରେ ଉତ୍ତର ନାହିଁ କିନ୍ତୁ ଆମ ପାଖରେ ଉତ୍ତର ଅଛି, ଲୋକଙ୍କୁ କହିବୁ ନିଯୁକ୍ତି ଦେଇଛୁ ବୋଲି । ୧୭ ମାସରେ ଯେଉଁ କାମ କରିଛି ତାହାକୁ ନେଇ ଜନତା ଚର୍ଚ୍ଚା କରୁଛନ୍ତି ସେଥିପାଇଁ ମୁଁ ଗର୍ବିତ ବୋଲି କହିଛନ୍ତି ତେଜସ୍ୱୀ । ଏବେ ଭାରତ ରତ୍ନ ସମ୍ମାନ ପାଇଁ ନୁହେଁ ଡିଲ୍ ପାଇଁ ଦିଆଯାଉଛି । ଭୋଟବ୍ୟାଙ୍କ ବଢାଇବା ପାଇଁ ଦିଆଯାଉଛି ।

ଏହାବାଦ୍ ତେଜସ୍ୱୀ କହିଛନ୍ତି, ମୋ ଦେହରେ ଲାଲୁଙ୍କ ରକ୍ତ ବହୁଛି । ତେଣୁ ଏଭଳି ସ୍ଥିତିକୁ ଭୟ କରିନୁ । ବରଂ ସଂଘର୍ଷ ଓ ଲଢେଇ କରିବା ଶିଖିଛୁ । ରାମାୟଣ କଥା ମନେ ପକାଇ ତେଜସ୍ୱୀ କହିଛନ୍ତି, ଦଶରଥ ଚାହୁଁନଥିଲେ ରାମ ବନବାସ ଯାଆନ୍ତୁ । କିନ୍ତୁ କୈକୟୀ ଚାହୁଁଥିଲେ । ତେଣୁ କୈକୟୀ କିଏ ସେମାନଙ୍କୁ ଚିହ୍ନନ୍ତୁ ନୀତିଶ । ଏହାସହ ଶେଷରେ କହିଛନ୍ତି, କେହି ଆସୁ କି ନ ଆସୁ, ସମୟ ଆସିଲେ ତେଜସ୍ୱୀ ଆସିବ ।