କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମୋ ଘରେ ତାଙ୍କର ଅଫିସ ଖୋଲିପାରିବେ, ଅଧିକାରୀଙ୍କ ପାଇଁ ସୁବିଧା ହେବ । ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ମାରିଲେ ଆକ୍ଷେପ ତୀର ।

86

କନକ ବ୍ୟୁରୋ : କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଉପରେ ପୁଣି ବର୍ଷିଛନ୍ତି ଆରଜେଡି ନେତା ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଆଉ ଆକ୍ଷେପ ଛଳରେ କହିଛନ୍ତି, ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଯେପରିକି ସିବିଆଇ, ଇଡି ଓ ଆୟକର ବିଭାଗ ଆମ ବାସଭବନରେ ନିଜର କାର୍ଯ୍ୟାଳୟ ଖୋଲିଦିଅନ୍ତୁ । ଆଇଆରସିଟିସି ଦୁର୍ନୀତି ମାମଲାରେ ତେଜସ୍ୱୀଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ଦାବି କରିବା ପରେ ଏଭଳି ବୟାନ ଦେଇଛନ୍ତି ବିହାର ଉପ-ମୁଖ୍ୟମନ୍ତ୍ରୀ । କେବଳ ଏତିିକି ନୁହେଁ କେନ୍ଦ୍ରରେ ସରକାରରେ ଥିବା ବିଜେପି ଉପରେ ମଧ୍ୟ ତେଜସ୍ୱୀ ବର୍ଷିଛନ୍ତି । ବିଜେପି ଏବେ ଲୋକଙ୍କ ବିଶ୍ୱାସ ହରାଇ ସାରିଲାଣି, ୨୦୨୪ ନିର୍ବାଚନରେ ପରାଜିତ ହେବାର ଭୟ ରହିଛି । ସେଥିପାଇଁ କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଉଛି କେନ୍ଦ୍ର ସରକାର ।

ଏହାସହ ତେଜସ୍ୱୀ କହିଛନ୍ତି, ମୁଁ ପୂର୍ବରୁ ମଧ୍ୟ କହିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମୋ ଘରେ ନିଜର ଅଫିସ ଖୋଲନ୍ତୁ । ସେମାନଙ୍କ ଅଧିକାରୀଙ୍କ ପାଇଁ ଏହା ସୁବିଧାଜନକ ହେବ । ସବୁବେଳେ ସିବିଆଇକୁ ସହଯୋଗ କରିଛି । ଆଗକୁ ମଧ୍ୟ ସହଯୋଗ କରିବି । ଏହାସହ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଯାଞ୍ଚ ଏଜେନ୍ସିର ଅଧିକାରୀଙ୍କୁ ଧମକ ଦିଆଯାଇଥିବା ନେଇ ବିଜେପି ନେତା ଯେଉଁ ଅଭିଯୋଗ ଆଣିଥିଲେ ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।