କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ପରିବର୍ତ୍ତନ ପତ୍ର ନାଁରେ ଏହି ନିର୍ବାଚନ ଇସ୍ତାହାର ଆଣିଛି ଆରଜେଡି । ଦଳୀୟ ନେତା ତେଜସ୍ୱୀ ଯାଦବ, ଅବଦୁଲ ସିଦ୍ଦିିକି, ଜଗଦାନନ୍ଦ ସିଂ ଏହି ନିର୍ବାଚନ ଇସ୍ତାହାର ଘୋଷଣା କରିଛନ୍ତି । ଆରଜେଡିର ଘୋଷଣାପତ୍ରରେ ମୁଖ୍ୟତଃ ୨୪ଟି ବଡ ପ୍ରତିଶ୍ରୁତି ଦିଆଯାଇଛି । ଯେଉଁଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି, ଦେଶରେ ଯୁବବର୍ଗଙ୍କୁ ୧ କୋଟି ରୋଜଗାର ଦିଆଯିବ । ୧୫ ଅଗଷ୍ଟରେ ଦେଶରୁ ବେରୋଜଗାର ହଟିବ ଏବଂ ୧୫ ଅଗଷ୍ଟରୁ ହିଁ ଦେଶରେ ସରକାରୀ ନିଯୁକ୍ତି ଦେବା କାମ ଆରମ୍ଭ ହେବ ।

ଆଗକୁ ଆସୁଥିବା ରାକ୍ଷୀ ପୂର୍ଣ୍ଣମୀରେ ଗରିବ ପରିବାରର ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି । ଗ୍ୟାସ ସିଲିଣ୍ଡରର ଦର ୫୦୦ ଟଙ୍କା, ପୁରୁଣା ପେନସନ ଯୋଜନା ଲାଗୁ, ବିହାରକୁ ସ୍ୱତନ୍ତ୍ର ରାଜ୍ୟର ଦର୍ଜା ସହ ୧ ଲକ୍ଷ ୬୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଦିଆଯିବାକୁ ଘୋଷଣା କରିଛନ୍ତି ତେଜସ୍ୱୀ । ସେହିଭଳି ବିହାରରେ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ୧୦ଟି ଫସଲ ଉପରେ ଏମଏସପି ଦିଆଯିବା ସହ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରାଯିବା ନେଇ ଘୋଷଣା କରିଛି ଆରଜେଡି ।

ଆରଜେଡି ନିଜ ଘୋଷଣାପତ୍ରରେ ସ୍ପଷ୍ଟ କରିଛି ଯଦି ଇଣ୍ଡିଆ ମେଣ୍ଟ ସରକାରକୁ ଆସେ ତେବେ ଅଗ୍ନିବୀର ଯୋଜନାକୁ ବନ୍ଦ କରାଯିବ । ସେହିଭଳି ଶିଳ୍ପାୟନକୁ ଫୋକସରେ ରଖିଛି ଆରଜେଡି । ବିଭିନ୍ନ ସ୍ଥାନରେ ନୂଆ ଶିଳ୍ପ ଆରମ୍ଭ ସହ ପ୍ରତିବର୍ଷ ୨ରୁ ୩ ଥର ଷ୍ଟାର୍ଟଅପ ପ୍ରତିଯୋଗିତା କରିବାକୁ ଆରଜେଡି ନିଜ ଘୋଷଣାପତ୍ରରେ କହିଛି । ମାଗଣାରେ ଚିକିତ୍ସା, ଦେଶରେ ଜାତି ଜଣଗଣନା, ଜାତୀୟ ଯୁବ ଆୟୋଗ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛି ।

ତେଜସ୍ୱୀ ଯାଦବ କହିଛନ୍ତି, କଂଗ୍ରେସ ୩୦ ଲକ୍ଷ ନିଯୁକ୍ତି ଦେବାକୁ କହୁଛି । କିନ୍ତୁ ଏହି ୩୦ ଲକ୍ଷ ସହ ଆହୁରି ୭୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଇପାରିବ । କାରଣ ଆମର ପରିବର୍ତ୍ତନ ପତ୍ର ଅନେକ ଗବେଷଣା ପରେ ତିଆରି ହୋଇଛି । ଯାହା ପ୍ରତିଶ୍ରୁତି ଦେଇଛୁ , ତାହାକୁ ପୂରା କରିବୁ । ରାହୁଲ ଗାନ୍ଧୀଙ୍କ ହାତମୁଠାକୁ ଟାଣ କରିବୁ । ପୂର୍ବରୁ ନୀତିଶ କୁମାରଙ୍କ ସମୟରେ ନିଯୁକ୍ତି ପାଇବା ଅସମ୍ଭବ ଲାଗୁଥିଲା । କିନ୍ତୁ ଆମେ ଚାକିରି ଦେବୁ ବୋଲି କହିଥିଲୁ ଏବଂ ଚାକିରି ଦେଇକି ଦେଖାଇଲୁ । ୨୦୨୦ରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହାକୁ ମାତ୍ର ୧୭ ମାସ ମଧ୍ୟରେ ପୂରା କରି ଦେଖାଇଲୁ । ବିହାରରେ ୫ ଲକ୍ଷ ନିଯୁକ୍ତି ଦେଇଛୁ ।