ବିହାର ନିର୍ବାଚନ ନେଇ ବୁଥ ବାହୁଡା ମତର ବଡ ସଂକେତ: ମହାମେଂଟ ସରକାର ଗଢ଼ିବା ନେଇ ଏକାଧିକ ସଂସ୍ଥାର ପୂର୍ବାନୁମାନ; ଇଣ୍ଡିଆ ଟୁଡେ କହିଲା ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ପ୍ରଥମ ପସନ୍ଦ

ମହାମେଂଟକୁ ମିଳିବ ୧୩୯ ରୁ ୧୬୧ ଆସନ

157

କନକ ବ୍ୟୁରୋ: ସରିଲା ବିହାର ନିର୍ବାଚନ । କାହାକୁ ବାଛିଲେ ବିହାରବାସୀ ଏହା ୧୦ ତାରିଖରେ ସ୍ପଷ୍ଟ ହେବ । ହେଲେ ଏହା ପୂର୍ବରୁ ଆସିଛି ବୁଥ ବାହୁଡା ମତ  । ବିଭିନ୍ନ ସର୍ଭେ ସଂସ୍ଥା ସଂଗ୍ରହ କରିଥିବା ବୁଥ୍ ବାହୁଡା ମତ ଅନୁସାରେ ମହାମେଂଟ ସରକାର ଗଢିବାକୁ ଯାଉଛି । ଇଣ୍ଡିଆ ଟୁଡେ- ମାଇଁ ଆକ୍ସିସର ବଡ ସଂକେତ, ସରକାର ଗଢ଼ିବ ଆରଜେଡି ନେତୃତ୍ୱଧିନ ମହାମେଂଟ । ମହାମେଂଟକୁ ଇଣ୍ଡିଆ ଟୁଡେ- ମାଇଁ ଆକ୍ସିସ ୧୩୯ ରୁ ୧୬୧ ଆସନ ଦେଇଥିବା ବେଳେ ଏନଡିଏ ମେଂଟକୁ ୬୧ ରୁ ୯୧ ଆସନ ମିଳିବ ବୋଲି ଆକଳନ କରିଛି । ଟାଇମ୍ସ-ନାଓ-ସିଭୋଟରର ପୂର୍ବାନୁମାନ ଅନୁସାରେ କୌଣସି ମେଂଟକୁ ବହୁମତ ମଳିବ ନାହିଁ । ଏନଡିଏ ମେଂଟକୁ ୧୧୬ଟି ଆସନ ଏବଂ ମହାମେଂଟକୁ ୧୨୦ ଓ ଅନ୍ୟାନ୍ୟଙ୍କୁ ୭ଟି ଆସନ ମିଳିବ । ସେହିପରି ଏବିପିର ପୂର୍ବାନୁମାନ ଅନୁସାରେ ମହାମେଂଟକୁ ୧୦୮ରୁ ୧୩୧ଟି ଆସନ ମିଳିବ ।

ନୀତିଶଙ୍କ ନେତୃତ୍ୱାଧିନ ଏନଡିଏ ମେଂଟକୁ ୧୦୪ ରୁ ୧୨୮ ଆସନ ମିଳିବ । ଏଲଜେପିକୁ ୧ ରୁ ୩ ଓ ଅନ୍ୟମାନଙ୍କୁ ୪ରୁ ୮ଟି ଆସନ ମିଳିବ । ଅର୍ଥାତ ମହାମେଂଟ ସରକାର ଗଢ଼ିବାର ସମ୍ଭାବନା ଅଧିକ ରହିଛି । ରିପବ୍ଲିକ –ଜନକିବାତର ପୂର୍ବାନୁମାନ ଅନୁସାରେ ୨୪୩ ଆସନରୁ ମହାମେଂଟକୁ ୧୧୮ରୁ ୧୩୮ , ଏନଡିଏ ମେଂଟକୁ ୯୧ରୁ ୧୧୭ଟି ଆସନ, ଅନ୍ୟାନ୍ୟଙ୍କୁ ୫ରୁ ୮ଆସନ ମିଳିବ । ଅର୍ଥାତ ମହାମେଂଟକୁ ବହୁମତ ମିଳିବା ନେଇ ଅଧିକ ସମ୍ଭାବନା ରହିଛି । ଟିଭି-୯ ଭାରତବର୍ଷର ସର୍ଭେ ଅନୁସାରେ ମହାମେଂଟକୁ ୧୧୫ରୁ ୧୨୫ ଆସନ ମିଳିବ । ସେହିପରି ଏନଡିଏ ମେଂଟକୁ ୧୧୦ରୁ ୧୨୦ ଆସନ ମିଳିବ । ଏବଂ ଅନ୍ୟମାନଙ୍କୁ ୧୦ ରୁ ୧୫ ଆସନ ମିଳିବ । ଅର୍ଥାତ ମହାମେଂଟକୁ ବହୁମତ ମିଳିବାର ସମ୍ଭାବନା ରହିଛି ।

ଅନ୍ୟପଟେ, ବିହାର ନିର୍ବାଚନର ଫଳାଫଳକୁ ନେଇ କେବଳ ବିହାରବାସୀ ନୁହଁନ୍ତି, ସାରା ଦେଶବାସୀ ଏହାର ଫଳାଫଳକୁ ଅପେକ୍ଷା କରିଛନ୍ତି । କରୋନା ଲକଡାଉନ ଓ ଏହାକୁ ନେଇ ଦାଦନଙ୍କ ଦୁର୍ଦ୍ଦଶା ପରେ ହୋଇଛି ଏହି ନିର୍ବାଚନ । ସରକାରଙ୍କ ସଫଳତା ଓ ବିଫଳତାକୁ କିପରି ଲୋକଙ୍କୁ ପ୍ରଭାବିତ କରିଛି ଏହାର ଝଲକ ଦେଖିବାକୁ ମିଳିବ, ନିର୍ବାଚନର ଫଳାଫଳରେ । ବିହାର ବିଜୟ ପାଇଁ ଉଭୟ ଏନଡିଏ ଓ ୟୁପିଏ ମହାମେଂଟ ସମସ୍ତ ବଳ ଖଟାଇଥିଲେ । କିନ୍ତୁ ରୋଚକର କଥା ହେଉଛି, ବିହାର ନିର୍ବାଚନରେ ଦେଖିବାକୁ ମିଳିଛି ବଡ଼ ବିରୋଧାଭାସ ।