କନକ ବ୍ୟୁରୋ : ଏଥର ବିହାରରେ ପଲଟିବ ବାଜି । ସଂକେତ ଦେଲା ବୁଥ୍ ବାହୁଡା ମତ । ତେଜସ୍ୱୀଙ୍କ ତେଜରେ ବିହାରରେ ଏଥର ଜଳିବ ଲଣ୍ଠନ । ଏନଡିଏକୁ ମାତ୍ ନେଇ ବିହାର ନିର୍ବାଚନୀ ମୈଦାନରେ ବାଜି ମାରିବ ତେଜସ୍ୱୀଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ । ବିଭିନ୍ନ ଏକଜିଟ୍ ପୋଲରେ ବିହାରର ନୂଆ ବାଜିଗର ଭାବେ ସାମ୍ନାକୁ ଆସିଛନ୍ତି ଆରଜେଡିର ତେଜସ୍ୱୀ ଯାଦବ । କେବଳ ଟାଇମ୍ସ ନାଓ ସି ଭୋଟର ସର୍ଭେ ରିପୋର୍ଟକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସର୍ଭେ ରିପୋର୍ଟରେ ଜେଡିୟୁ ଓ ସହଯୋଗୀ ଦଳଙ୍କ ଠାରୁ ଆଗରେ ରହିଛି ମହାଗଠବନ୍ଧନ ।
କେବଳ ଏତିକି ନୁହେଁ ଏହି ନିର୍ବାଚନରେ ନୀତିଶ ଲୋକପ୍ରିୟତା ହରାଇଥିବା ବେଳେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ତେଜସ୍ୱୀ । କାରଣ ବୁଥ ବାହୁଡା ମତ ମହାଗଠବନ୍ଧନ ଓ ତେଜସ୍ୱୀଙ୍କ ସପକ୍ଷରେ ଯାଉଛି । ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ବିହାରବାସୀଙ୍କ ମନ ଜିଣିଛନ୍ତି ଯୁବ ତେଜସ୍ୱୀ । ବିହାରର ୪୪ ପ୍ରତିଶତ ଲୋକ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପସନ୍ଦ କରୁଥିବା ବେଳେ ନୀତିଶଙ୍କ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ମାତ୍ର ୩୫ ପ୍ରତିଶତ । ଯାହା ଦର୍ଶାଉଛି ବିହାର ଏଥର ଯୁବ ନେତୃତ୍ୱ ଓ ନିଯୁକ୍ତି ଉପରେ ଭୋଟ କରିଛି । ସେହିଭଳି ଏଲଜେପି ମୁଖ୍ୟ ଚିରାଗ ପାଶୱାନଙ୍କୁ ୭ ପ୍ରତିଶତ ଓ ଆରଏଲଏସପିର ଉପେନ୍ଦ୍ର କୁଶୱାହାଙ୍କୁ ମାତ୍ର ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/609723-tejaswi-yadav-and-nitish-kumar.jpg)