କନକ ବ୍ୟୁରୋ : ବହୁମତର ପାଖା ପାଖି ଅନ୍ତର ଭିତରେ ଚାଲିଛି ବିହାର ସରକାର । ୭/୮ ଜଣ ବିଧାୟକ ଜଦି ଏପଟ ସେପଟ ହୋଇଯାଆନ୍ତି ତେବେ ବିହାରର ନିତୀଶ ସରକାର ଭାଙ୍ଗିବା ନିଶ୍ଚିନ୍ତ । ଏହାରି ମଧ୍ୟରେ ଆରଜେଡି ନେତୃତ୍ୱରେ ଗଠିତ ହୋଇଥିବା ମହାଗଠବନ୍ଧନ ବାରମ୍ବାର ଦାବି କରୁଛି କି ଖୁବଶୀଘ୍ର ନୀତିଶ କୁମାରଙ୍କ ସରକାର ଭାଙ୍ଗିବାକୁ ଯାଉଛି । ଏବେ ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ଭାଇ ବିରେନ୍ଦ୍ରଙ୍କ ଦାବି ନୀତିଶ ସରକାରର ସ୍ଥିରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଦାବି କରିଛନ୍ତି କି ଅଗଷ୍ଟ ୧୫ ତାରିଖରେ ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଗାନ୍ଧୀ ମଇଦାନରେ ପତାକା ଉତ୍ତୋଳନ କରିବେ । ତାଙ୍କର ଏଭଳି ବୟାନ ପରେ ବିହାର ରାଜନୀତି ସରଗରମ ହୋଇଛି ।

Advertisment

ମୁଖ୍ୟତଃ ଆରଜେଡି ବିଧାୟକ ଦେଇଥିବା ବୟାନର ଆଧାରକୁ ଯଦି ବିଶ୍ଳେଷଣ କରାଯାଏ ତେବେ ବିହାର ଏନଡିଏ ସରକାରରେ ସାମିଲ ଥିବା ଭିଆଇପି ଓ ହମ ପାର୍ଟିକୁ ନେଇ ସେ ଏଭଳି ଦାବି କରିଛନ୍ତି । ଭିଆଇପି ଅଧ୍ୟକ୍ଷ ମୁକେଶ ସାହାଣୀଙ୍କୁ ଉତ୍ତରପ୍ରଦେଶ ବାରଣାସୀରେ କରାଯାଇଥିବା ଅପମାନ ପରେ ସାହାଣୀ ନୀତିଶ ସରକାରଙ୍କ ଉପରେ ପ୍ରଶ୍ନ କରିଥିଲେ । ସେ କହିଥିଲେ କି ବିହାରରେ ୪ ଟି ଦଳର ମେଣ୍ଟରେ ଶାସନ ଚାଲୁଛି ବୋଲି ସେ ଅନୁଭବ କରିପାରୁ ନାହାନ୍ତି । ସେ ଅନୁଭବ କରୁଛନ୍ତି କି ବିହାରରେ କେବଳ ବିଜେପି ଓ ଜେଡିୟୁର ସରକାର ଚାଲିଛି । ସେ ଦେଇଥିବା ବୟାନ ମୁତାବକ ବିହାର ଏନଡିଏରେ ସାମିଲ ଥିବା ଭିଆଇପି ଓ ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାକୁ ସରକାରରେ ଗୁରୁତ୍ୱ ଦିଆଯାଉନଥିବା ସ୍ପଷ୍ଟ ହୋଇଛି ।

ମଙ୍ଗଳବାର ଦିନ ବିହାର ବିଧାନସଭା ପରିସରରେ ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି କି ବିହାରରେ ଖେଳ ଆରମ୍ଭ ହୋଇଯାଇଛି । ଏବେ ନୀତିଶ ସରକାର ଭାଙ୍ଗିବ ନିଶ୍ଚିନ୍ତ ବୋଲି ସେ କହିଛନ୍ତି । ଏହାକୁ ପ୍ରମାଣ କରିବାକୁ ଯାଇ ସେ କହିଛନ୍ତି କି ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃ୍ତ୍ୱରେ ଏନଡିଏର ବିଧାନମଣ୍ଡଳ ବୈଠକ ହୋଇଥିଲା । ଏଥିରେ ଭିଆଇପି ମୁଖ୍ୟ ମୁକେଶ ସାହାଣୀ ଯୋଗ ଦେଇ ନଥିଲେ । ଏହାକୁ ନେଇ ମୁକେଶ କହିଥିଲେ କି ବୈଠକରେ ଯୋଗ ଦେବାର କିଛି ମହତ୍ୱ ନାହିଁ, କାରଣ ବୈଠକରେ ତାଙ୍କ କଥା କେହି ଶୁଣୁ ନାହାନ୍ତି କି ତାଙ୍କ ଦଳର ବିଧାୟକ ମାନଙ୍କୁ କହିବାର ସୁଯୋଗ ମିଳୁ ନାହିଁ । ଏହାସହ ସାହାଣୀ କହିଥିଲେ କି ଏବେ ତାଙ୍କୁ ଓ ଜିତିନ ରାମ ମାଂଝୀଙ୍କୁ ଚିନ୍ତା କରିବାର ସମୟ ଆସିଛି ।

ଅନ୍ୟପଟେ ଯଦି ଆସନର ସଂଖ୍ୟା ଗଣିତକୁ ନଜର କରାଯିବ ତେବେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା କିଛି ଅସମ୍ଭବ ଭଳି ଲାଗୁ ନାହିଁ । ଏନଡିଏ ସରକାରରେ ବିଜେପିର ୭୪ ବିଧାୟକ, ଜେଡିୟୁର ୪୩, ମାଂଝୀଙ୍କର ୪ ଓ ଭିଆଇପିର ୪ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଅର୍ଥାତ ସରକାରଙ୍କ ପାଖରେ ୧୨୬ ଜଣ ବିଧାୟକଙ୍କ ସମର୍ଥନ ରହିଛି । ସେହିପରି ମହାଗଠବନ୍ଧନ ପାଖରେ ଆରଜେଡିର ୭୫, ବାମଦଳର ୧୬ ଓ କଂଗ୍ରେସର ୧୯ ଜଣ ବିଧାୟକ ରହିଛନ୍ତି । ଅର୍ଥାତ ମହାଗଠବନ୍ଧନ ନିକଟରେ ୧୧୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ବିହାର ବିଧାନସଭାରେ ମୋଟ ସଦସ୍ୟ ସଂଖ୍ୟା ୨୪୩ ହୋଇଥିବା ବେଳେ ସରକାର ଗଠନ କରିବାକୁ ୧୨୨ ବିଧାୟକଙ୍କ ଆବଶ୍ୟକତା ରହିଛି । ମହାଗଠବନ୍ଧନ ପାଖରେ ୧୧୦, ଭିଆଇପିର ୪, ହମ୍ ର ୪ ଯଦି ଏକାଠି ହୁଅନ୍ତି ତେବେ ମହାଗଠବନ୍ଧନ ପାଖରେ ୧୧୮ ବିଧାୟକ ହୋଇଯିବେ । ଏହାସହ ଓୱେସୀଙ୍କ ଏଆଇଏଆଇଏମର ୫ ଜଣ ବିଧାୟକ ରହିଛନ୍ତି । ସେମାନେ ଯଦି ଆରଜେଡି ସମର୍ଥନରେ ଆସନ୍ତି ତେବେ ମହାଗଠବନ୍ଧନ ପାଖରେ ୧୨୩ ଜଣ ବିଧାୟକଙ୍କ ସମର୍ଥନ ରହିବ ।