କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ । ତହସିଲଦାର ବାରଙ୍ଗ ତହସିଲ ଅଫିସରୁ କାର୍ଯ୍ୟ ସାରି ପଟିଆସ୍ଥିତ ଘରକୁ ଫେରିବା ବେଳେ ଭୁବନେଶ୍ୱର ରଘୁନାଥପୁରର ମଣି-ତ୍ରିଭୂବନ ଆପାର୍ଟମେଂଟ ସାମନାରେ ଭିଜିଲାନ୍ସ ଦଳ ତାଙ୍କୁ ଅଟକାଇଥିଲା । ଏହି ସମୟରେ ସେ ତାଙ୍କ ପାଖରେ ଥିବା ନଗଦ ୧ ଲକ୍ଷ ୭ ହଜାର ଟଙ୍କାକୁ ରାସ୍ତାରେ ଫିଙ୍ଗି ଦେଇଥିଲେ । ଏହା ଦେଖିବା ପରେ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତହସିଲଦାରଙ୍କୁ ପଚାରିଥିଲେ ଭିଜିଲାନ୍ସ ଟିମ୍ ।ହେଲେ ସେ କୌଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ତାପରେ ତାଙ୍କ ବିରୋଧରେ ଆୟବହିର୍ଭୁତ ମାମଲା ରୁଜୁ କରି ପଚାରଉଚରା କରୁଛି ଭିଜିଲାନ୍ସ ।
ପ୍ରାୟ ୪ ମାସ ତଳେ ବାରଙ୍ଗ ତହସିଲଦାର ଭାବେ ସେ ଯୋଗ ଦେଇଥିଲେ । ତେବେ ତାଙ୍କ କାର୍ଯ୍ୟଶୈଳୀ ବିବାଦୀୟ ଥିଲା । ସେଥିପାଇଁ ସେ କିଛିଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିଲେ । ଠୋସ ତଥ୍ୟ, ପ୍ରମାଣ ପାଇବା ପରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଅଫିସ ଗାଡିରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ନେଇ ଡ୍ରାଇଭର ଗଲାବେଳେ ପିଛା କରିଥିଲା ଭିଜିଲାନ୍ସ ଟିମ୍ । ତେବେ ତାଙ୍କୁ ଗିରଫ କରାଯାଇଛି । ଆଜି କଟକ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।>
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/5-7.jpg)