କନକ ବ୍ୟୁରୋ : ୨୦୦୨ ଗୋଧ୍ରା ଦଙ୍ଗାପରେ ଗୁଜରାଟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରିବା ଓ ପ୍ରମାଣକୁ ଭିନ୍ନଭିନ୍ନ ଭୁଲ ଉପାୟରେ କୋର୍ଟରେ ଉପସ୍ଥାପିତ କରିବା ମାମଲାରେ ଗୁଜରାଟ ହାଇକୋର୍ଟ ଅଭିଯୁକ୍ତ ତିସ୍ତା ସୀତଲୱାଡଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । କୋର୍ଟ ଜାମିନ ଆବେଦନ ଖାରଜ କରିବା ସହ ତିସ୍ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି ।

Advertisment

ସମାନ ମାମଲାରେ ୨୦୨୨ ସେପ୍ଟେମ୍ବର ମାସରେ କୋର୍ଟ ତିସ୍ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ସର୍ତ୍ତ ମୁତାବକ ଜାମିନ ଅବଧି ସମାପ୍ତ ହେବା ପରେ ତିସ୍ତା ପୁଣି କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଏଥର କୋର୍ଟ ତିସ୍ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ତୁରନ୍ତ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତିସ୍ତାଙ୍କୁ ୨୦୨୨ ଜୁନ ୨୫ ତାରିଖରେ ଗୁଜରାଟ ପୋଲିସ ଗିରଫ କରିଥିଲା । ତିସ୍ତାଙ୍କ ଉପରେ ଅଭିଯୋଗ ରହିଛି କି, ସେ ୨୦୦୨ ଗୁଜରାଟ ଗୋଧ୍ରା ଦଙ୍ଗା ମାମଲାରେ ନିର୍ଦ୍ଦୋଷ ଲୋକଙ୍କୁ ମିଥ୍ୟା ମାମଲାରେ ଫଶାଇବାକୁ ଷଡଯନ୍ତ୍ର କରିଥିଲେ । ଏନେଇ ଅହମ୍ମଦାବାଦ ଜିଲ୍ଲା ଜର୍ଜ ତିସ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁଜରାଟ ପୋଲିସ ତିସ୍ତାଙ୍କୁ ପ୍ରଥମେ ୭ ଦିନିଆ ପୋଲିସ ହେପାଜତକୁ ନେଇଥିଲା । ସେଠାରେ ୨ଦିନ ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।