କାଲିଠୁ କିଶୋରଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ୯୩୯ କେନ୍ଦ୍ର ପ୍ରସ୍ତୁତ, ମାସେ ଭିତରେ ସମସ୍ତ ୧୫ ରୁ ୧୮ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ୍ ଦେବା ଲକ୍ଷ୍ୟ ।

123

କନକ ବ୍ୟୁରୋ : କିଶୋରଙ୍କ ଟିକାଦାନ ପାଇଁ ପ୍ରସ୍ତୁତି ସରିଛି । ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର କରାଯାଇଛି । ଆସନ୍ତାକାଲି ଠାରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରି ଦେବେ । ଏବଂ ସେମାନଙ୍କ ତାଲିକା ଅନୁସାରେ ଟିକାକରଣ ବ୍ୟବସ୍ଥା କରିବେ ସିଡିଏମଓ । ଏଥିପାଇଁ ଶିକ୍ଷା ବିଭାଗ ସହ ସମ୍ବନ୍ୱୟ ରକ୍ଷା କରିବେ ସବୁ ଜିଲ୍ଲାର ଜିଲ୍ଲାପାଳ ।

କାଲିଠୁ କିଶୋରଙ୍କ ଟିକାକରଣ । ୯୩୯ କେନ୍ଦ୍ରରେ ଦିଆଯିବ ଟିକା । ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ମାନଙ୍କରେ ଭ୍ୟାକ୍ସିନ ପହଞ୍ଚିସାରିଛି । କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଭାବେ ପ୍ରାୟ ୯୩୯ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଏଥିସହ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା  କରାଯାଇଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟିକା ନେଇପାରିବେ ।

ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ମଧ୍ୟ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରିବେ । ଏବଂ ରାଜ୍ୟରେ ଯଥେଷ୍ଟ ପରିମାଣର ଟିକା ମହଜୁଦ ରହିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ ସ୍କୁଲ ପ୍ରିନ୍ସିପାଲ । ଟିକାକରଣ ବ୍ୟବସ୍ଥା କରିବେ ସିଡିଏମଓ । ସ୍କୁଲରେ ପାଠ ପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିବେ । ସ୍କୁଲ ଅଧ୍ୟକ୍ଷମାନେ ତାଲିକା ପ୍ରସ୍ତୁତ କରିବେ । ସେହି ତାଲିକା ଅନୁସାରେ ଟିକାକରଣ ବ୍ୟବସ୍ଥା କରିବେ ସିଡିଏମଓ । ତେବେ ୫ ତାରିଖରୁ ମାଟ୍ରିକ ସମେଟିଭ୍ ପରୀକ୍ଷା ଆରମ୍ଭ ହେଉଥିବାରୁ ଯେଉଁ ପିଲାମାନେ ଟିକା ନେଇ ନପାରିବେ ସେମାନେ ୮ତାରିଖ ପରେ ନେଇପାରିବେ ।

ରାଜ୍ୟର ପ୍ରାୟ ୨୫ଲକ୍ଷ ପିଲା ୧୫ ରୁ ୧୮ ବର୍ଷ ବୟସର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ସ୍କୁଲ ଓ କଲେଜରେ ପଢ଼ୁଛନ୍ତି । ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାର ।