କନକ ବ୍ୟୁରୋ: ସମୁଦ୍ର ନିକଟବର୍ତ୍ତୀ ସହରରକୁ ବୁଡିବାରୁ ରୋକିବ ଏକ ରୋବୋଟ୍‌ । ଯାହାକୁ ପ୍ରସ୍ତୁତ କରିଛି ନାସା । ବୈଜ୍ଞାନିକମାନେ ସ୍ୱୟଂଚାଳିତ ଅଣ୍ଡରୱାଟର୍‌ ରୋବୋ ପ୍ରସ୍ତୁତ କରୁଛନ୍ତି, ଯାହା ମନୁଷ୍ୟ ପାଇଁ ଅପହଞ୍ଚ ସମସ୍ତ ସ୍ଥାନକୁ ଯିବାରେ ସକ୍ଷମ । ଆଣ୍ଟାର୍କଟିକାର ବିଶାଳ ବରଫ ପ୍ରାଚୀର ଗଭୀରରେ ଏହା ପହଞ୍ଚିବ ।  ଦ୍ରୁତ ବେଗରେ ବରଫ ଛାଡ଼ିବା ପ୍ରୋଜେକ୍ଟର ଏକମାତ୍ର ଲକ୍ଷ୍ୟ  । 

Advertisment

ରୋବୋ ବରଫ ମଧ୍ୟକୁ ପ୍ରବେଶ କରି ପୃଥିବୀର ସବୁଠୁ ଦୁର୍ଗମ ସ୍ଥାନରେ ଦୀର୍ଘ ସମୟ ଧରି ରହି ତଥ୍ୟ ସଂଗ୍ରହ କରିବେ । କାରଣ ଆଣ୍ଟାର୍କଟିକା ଏପରି ଏକ ମହାଦ୍ବୀପ, ଯାହାର ବରଫ ତରଳିବା ମାତ୍ରେ ସାରା ବିଶ୍ୱରେ ସୃଷ୍ଟି ହୋଇଯାଏ ଆତଙ୍କ । ତେଣୁ ଆଣ୍ଟାର୍କଟିକାରେ ଏପରି ଯନ୍ତ୍ର ନିୟୋଜିତ କରିବା ଆବଶ୍ୟକ, ଯାହା ଭବିଷ୍ୟତର ବିପର୍ୟ୍ୟୟ ବିଷୟରେ ବିସ୍ତୃତ ସୂଚନା ଦେଇପାରିବ । 

ବୈଜ୍ଞାନିକଙ୍କ ଅନୁଯାୟୀ ଯଦି ଆଣ୍ଟାର୍କଟିକାର ବରଫ ଚାଦର ସମ୍ପୂର୍ଣ୍ଣ ତରଳିଯାଏ, ତେବେ ବିଶ୍ୱର ସବୁ ସମୁଦ୍ର ସ୍ତର ପ୍ରାୟ ୨୦୦ ଫୁଟ ଉପରକୁ ଉଠିଯିବ । ଏପରି ହେଲେ ଭାରତର ଅନେକ ତଟବର୍ତ୍ତୀ କ୍ଷେତ୍ରଗୁଡ଼ିକ ବୁଡିଯିବ । ସେଥିପାଇଁ ବୈଜ୍ଞାନିକମାନେ ଖାସ୍‌କରି ମହାସାଗରକୁ ଭାସି ଆସୁଥିବା ଆଣ୍ଟାର୍କଟିକା ବରଫ ପ୍ରାଚୀରରେ ଘଟୁଥିବା ଘଟଣା ବିଷୟରେ ଜାଣିବାକୁ ଆଗ୍ରହୀ । ‘ଆଇସ୍‌ନୋଡ୍‌’ ପ୍ରୋଜେକ୍ଟ ମୁଖ୍ୟଙ୍କ ଅନୁଯାୟୀ ପ୍ରାୟ ୧୦ଟି ଆଇସ୍‌ନୋଡ୍‌ ରୋବୋ ଜାରି କରିବାକୁ ନାସା ଯୋଜନା କରିଛି । 

ପ୍ରତ୍ୟେକର ଲମ୍ବ ୮ ଫୁଟ ଓ ବ୍ୟାସ ୧୦ ଇଞ୍ଚ । ବରଫରେ ଗର୍ତ୍ତ କରି କିମ୍ବା ତଟଠୁ ଦୂର ଜାହାଜରେ ଏମାନଙ୍କୁ ପାଣିକୁ ଛଡ଼ାଯିବ । ସ୍ୱତନ୍ତ୍ର ସଫ୍ଟୱେର୍ ନିର୍ଦ୍ଦେଶରେ ମହାସାଗର ସ୍ରୋତରେ ଆଣ୍ଟାର୍କଟିକ୍‌ ଲକ୍ଷ୍ୟସ୍ଥଳକୁ ଏମାନେ ଗତି କରିବେ । ସେଠାରେ ରୋବୋଙ୍କର ଲ୍ୟାଣ୍ଡିଂ ଗିୟର୍‌କୁ ସକ୍ରିୟ କରାଯିବ । ୩ ଗୋଡ଼ ବାହାରକୁ ବାହାରିବା ପରେ ରୋବୋ ବରଫରେ ସଂଲଗ୍ନ ହେବ । ତା’ପରେ ସେମାନଙ୍କର ସେନ୍ସର କାମ ଆରମ୍ଭ କରିବ । ମହାସାଗରର ଉଷ୍ଣ ଓ ଲୁଣିଆ ପାଣି କେତେ ଶୀଘ୍ର ବରଫକୁ ତରଳାଉଛି ଏବଂ ତରଳିଥିବା ଥଣ୍ଡା ଜଳ କେତେ ଦ୍ରୁତ ବେଗରେ ବୁଡ଼ିଯାଉଛି, ସେନ୍ସର ତାହା ଯାଞ୍ଚ୍‌ କରିବ । ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ଏହି ଯାଞ୍ଚ୍‌ ଚାଲିବ । ସବୁ ଋତୁରେ ଏହା ତଥ୍ୟ ସଂଗ୍ରହ କରିବ ବୋଲି ନାସା କହିଛି ।