କନକ ବ୍ୟୁରୋ : ରାଜ୍ୟରେ ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିବ । ଶିକ୍ଷାଦାନ ପୂର୍ବରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କ୍ଲାସ୍‌ରୁମ୍‌, ଲାବୋରେଟାରି, ହଷ୍ଟେଲଗୁଡ଼ିକୁ ଭଲ ଭାବେ ବିଶୋଧନ କରିସାରିଛନ୍ତି । ନିୟମିତ ଭାବେ ଚାଲିବାକୁ ଥିବା କ୍ଲାସରୁମ୍‌ ପାଠପଢ଼ାରେ ସମସ୍ତ ସିଲାବସ୍‌ରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦିଆଯିବ । ଯେତେଦୂର ସମ୍ଭବ, କ୍ଲାସରୁମ୍‌ ଶିକ୍ଷାର ରେକର୍ଡିଂ କରିବା ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ।

Advertisment

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ନିୟମିତ ଭାବେ ହ୍ୟାଣ୍ଡୱାସ୍‌ ଓ ହାତ ସାନିଟାଇଜ୍‌ କରିବେ । କ୍ଲାସରୁମ୍‌, ଲାଇବ୍ରେରି, ଲାବରେଟୋରିରେ ୬ ଫୁଟ୍‌ର ସାମାଜିକ ଦୂରତା ରକ୍ଷା ଉପରେ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି । କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁକୁ ଭଲ ଭାବେ ଘୋଡ଼ାଇବେ । ଅସୁସ୍ଥତା ଅନୁଭବ କଲେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ସମସ୍ତ ହଷ୍ଟେଲରେ ସଂଗରୋଧ ରୁମ୍‌ ରଖିବାକୁ ବାଧ୍ୟତାମୂଳକ ହୋଇଛି ।

ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଖୋଲିବ । ଅନ୍ୟ କ୍ଲାସ୍‌ଗୁଡ଼ିକ ଅବସ୍ଥା ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲାଯିବ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜରେ କ୍ଲାସ୍ ବ୍ୟବସ୍ଥା ହେବ । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ । ଯେଉଁମାନେ କୋଭିଡ୍‌ ଗାଇଡଲାଇନ୍ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।