Advertisment

କନକ ବ୍ୟୁରୋ : ଆପଣଙ୍କୁ ଟିଭି ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିପାରେ । କାରଣ ଆସନ୍ତା ଡିସେମ୍ବର ପହିଲାଠାରୁ ଟିଭି ଚ୍ୟାନେଲ ପ୍ରସାରଣକାରୀମାନେ କିଛି ମନୋନୀତ ଚ୍ୟାନେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ଯାହାଫଳରେ ଗ୍ରାହକଙ୍କ ପାଇଁ ଟିଭି ଦେଖିବା ମହଙ୍ଗା ହେବ । ତେଣୁ ଡିସେମ୍ବର ମାସ ପ୍ରାରମ୍ଭରୁ ଦର୍ଶକଙ୍କୁ ମନୋନୀତ ଚ୍ୟାନେଲଗୁଡିକ ପାଇଁ ୫୦ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡିବ । ଦେଶର ପ୍ରମୁଖ ପ୍ରସାରଣ ନେଟୱାର୍କ ଜୀ, ଷ୍ଟାର ସୋନୀ, ଭାଏକମ୍୧୮ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ପ୍ରସ୍ତାବିତ ବୁକେ ଚାଲିକାରୁ ସେମାନଙ୍କ କିଛି ଚ୍ୟାନେଲକୁ ବାଦ୍ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଏହି ଚ୍ୟାନେଲଗୁଡିକ ଦେଖିବା ପାଇଁ ୫୦ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିପାରେ ।

ଷ୍ଟାରପ୍ଲସ୍, କଲର୍ସ, ସୋନୀ ଏବଂ ଜୀ ଭଳି ଚ୍ୟାନେଲଗୁଡିକ ପାଇଁ ଦର୍ଶକଙ୍କୁ ପୂର୍ବ ତୁଳନାରେ ୩୫ରୁ ୫୦ ପ୍ରତିଶତ ଅର୍ଥ ଅଧିକ ଦେବାକୁ ପଡିବ । ବର୍ତ୍ତମାନ ଏହି ଚ୍ୟାନେଲଗୁଡିକର ହାରାହାରି ମୂଲ୍ୟ ମାସକୁ ୪୯ଟଙ୍କା, ଯାହାକୁ ମାସକୁ ୬୯ଟଙ୍କାକୁ ବୃଦ୍ଧି କରାଯାଇପାରିବ । ସେହିଭଳି ସୋନୀ ପାଇଁ ଗ୍ରାହକଙ୍କୁ ୩୯ ଟଙ୍କା ବଦଳରେ ମାସକୁ ୭୧ ଚଙ୍କା ଖର୍ଚ୍ଚ କରିବାକୁ ପଡିବ । ଅପରପକ୍ଷେ ଜୀ ଟିଭି ପାଇଁ ୩୯ ଟଙ୍କା ବଦଳରେ ୪୯ ଟଙ୍କା ଏବଂ ଭାୟାକମ୍ ୧୮ ଚ୍ୟାନେଲ୍ ପାଇଁ ମାସିକ ୨୫ଟଙ୍କା ବଦଳରେ ୩୯ଟଙ୍କା ଦେବାକୁ ପଡିବ । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ନୂଆ ଟାରିଫ୍ ଅର୍ଡର ଲାଗୁ କରାଯିବ ।

ଅନ୍ୟପକ୍ଷରେ କିଛି ପ୍ରସାରଣକାରୀ ଟେଲିଭିଜନ ଚାନେଲ ଏ-ଲା-କାର୍ଟେ ମୂଲ୍ୟ ନିର୍ଦ୍ଧାରଣ ଲାଗି ପାଇଥିବା ସ୍ୱାଧୀନତାର ଦୂରୁପଯୋଗ କରୁଛନ୍ତି । ଏପରି ଟେଲିଭିଜନ ପ୍ରସାରଣକାରୀଙ୍କ ଉପରେ କଡା ନଜର ରଖା ଯିବ ବୋଲି ଟିଆରଏଆଇ ଶୁକ୍ରବାର ସତର୍କ କରାଇଦେଇଛନ୍ତି । ଆସନ୍ତା ଡିସେମ୍ବରରୁ ଦେଶରେ ଟେଲିଭିଜନ ଚାନେଲ ଶୁଳ୍କ ବୃଦ୍ଧି ନେଇ ହେଉଥିବା ଚର୍ଚ୍ଚାରେ ଟ୍ରାଇ ଏହି ସତର୍କତା ଜାରି କରିଛି । ଗ୍ରାହକ ଏବଂ ଏହି କ୍ଷେତ୍ରରେ ବ୍ୟାପକ ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ କରିବାରେ ଟ୍ରାଇ କୌଣସି ପଛଘୁଞ୍ଚା ଦେବନାହିଁ ବୋଲି ଚେତାଇ ଦେଇଛି ।

ଏନଟିଓ ୨.୦ ଲାଗି ପ୍ରସାରଣକାରୀମାନେ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେଉଥିବା କହୁଛନ୍ତି । ଏଣୁ ଯଦି କେହି ଉପଭୋକ୍ତା ଲୋକପ୍ରିୟ ଜିଇସି ଚାନେଲ ଅଥବା ଖେଳ ଚ୍ୟାନେଲ ବାଛୁଛନ୍ତି ସେମାନଙ୍କୁ ଅତିରିକ୍ତ ୧୦୦ଟଙ୍କା ପୈଠ କରିବାକୁ ଦାବି କରୁଛନ୍ତି । ତେବେ ଏହା ଅଭିସନ୍ଧି ମୂଳକ ଓ ଲାଭଖୋର ମନବୃତ୍ତି ବୋଲି ଟ୍ରାଇ କହିଛି । ଯଦି ପ୍ରସାରଣକାରୀ ଟାରିଫରେ କୌଣସି ପରିବର୍ତ୍ତନ କରନ୍ତି ତେବେ ଟ୍ରାଇ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ କରିବ ବୋଲି ସତର୍କ କରାଇଛି ।