ପ୍ରଦୀପ ପୁରୋହିତଙ୍କ ଆଖିରେ ଲୁହ । କହିଲେ, ଗୁଣ୍ଡାଗର୍ଦ୍ଦି କରୁଛି ବିଜେଡିି । ସେପଟେ ନିଜ ଦଳର ନେତାଙ୍କୁ ଟାର୍ଗେଟ କଲେ ରାଧାରାଣୀ

198

କନକ ବ୍ୟୁରୋ: ପଦ୍ମପୁରରେ ବିଜେଡି ପ୍ରଚାର କରାଇ ଦେଉନି । ଲୋକ ଲଗାଇ ବିଜେପି ନେତାଙ୍କୁ ମାରପିଟ କରୁଛନ୍ତି ଶାସକ ଦଳର ନେତା । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ମିଡିଆ ଆଗରେ ଏହାକହି ଭାବବିହ୍ୱଳ ହୋଇଛନ୍ତି । ଯାହା ପଦ୍ମପୁରରେ ରାଜନୀତିର ପାରା ବଢାଇଛି । ସେପଟେ ବିଜେଡି ଏପରି ଅଭିଯୋଗକୁ ଖଣ୍ଡନ କରିଛି । ଭାବବିହ୍ୱଳ ହୋଇ ଭୋଟ୍ ହାତେଇବାକୁ ପୁରୋହିତ ପ୍ରୟାସ କରୁଛନ୍ତି ବୋଲି ବିଜେଡି ନେତା କହିଛନ୍ତି । ଅନ୍ୟପଟେ ଦଳୀୟ ପ୍ରଚାରକୁ ଆସି ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ନିଜ ଦଳର ନେତାଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ଯିଏ ତାଙ୍କୁ ବ୍ରଜରାଜନଗର ଉପନିର୍ବାଚନରେ ହରାଇଥିଲେ ସେହି ବ୍ୟକ୍ତି ପଦ୍ମପୁର ଦାୟିତ୍ୱରେ ଅଛନ୍ତି । ତେବେ ଏହି ନେତା କିଏ?

  • ବିଜେଡି ବିରୋଧରେ ବିଜେପିର ଅଭିଯୋଗ
  • ଗୁଣ୍ଡାଗର୍ଦ୍ଦିର ଅଭିଯୋଗ ଆଣିଲେ ପ୍ରଦୀପ

ନିର୍ବାଚନ ପ୍ରଚାର କରାଇ ଦେଉନାହାନ୍ତି ଶାସକ ଦଳର ନେତା । ଏପରି ଅଭିଯୋଗ ଆଣିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ମିଡିଆ ଆଗରେ ମଙ୍ଗଳବାର ଦିନ ଘଟିଥିବା ଘଟଣା ବଖାଣି ଭାବ ବିହ୍ୱଳ ହୋଇପଡିଛନ୍ତି ପ୍ରଦୀପ । ପଦ୍ମପୁର ଉପନିର୍ବାଚନ ପାଇଁ ସମସ୍ତେ ପ୍ରଚାର କରୁଛନ୍ତି । ହେଲେ ବିଜେପିର ପ୍ରଚାରକୁ ରୋକିବାକୁ ଶାସକ ଦଳ ନେତା ପ୍ରୟାସ କରୁଛନ୍ତି । ଏମିତିକି ବିଜେପି ନେତାଙ୍କୁ ମାଡ ମାରିଲେ ବିଜେଡି ପୁରସ୍କାର ଦେବ ବୋଲି ଘୋଷଣା କରିଥିବା ପ୍ରଦୀପ ପୁରୋହିତ କହିଛନ୍ତି । ମନ୍ତ୍ରୀ ଟୁକୁନି ସାହୁ, ନବ ଦାସ ଏବଂ ନିରଂଜନ ପୂଜାରୀଙ୍କ ନାଁ ନେଇ ଏଭଳି କହିଛନ୍ତି ।

  • ନିଜ ଦଳର ନେତାଙ୍କ ବିରୋଧରେ ବର୍ଷିଲେ ରାଧାରାଣୀ
  • ‘ତାଙ୍କୁ ହରାଇଥିବା ନେତା ଏବେ ପଦ୍ମପୁର ଦାୟିତ୍ୱରେ’

ପଦ୍ମପୁରରେ ଉପନିର୍ବାଚନ ପାଇଁ ଏକାଠି ହୋଇଛନ୍ତି ବିଜେପିର ପଶ୍ଚିମ ଓଡିଶାର ନେତା । ଦଳର ପ୍ରାର୍ଥୀକୁ ଜିତାଇବାକୁ ସମସ୍ତେ ପ୍ରୟାସ କରୁଛନ୍ତି ବୋଲି କୁହାଯାଉଛି । ହେଲେ ଏହି ସମୟରେ ଝାରସୁଗୁଡା ବ୍ରଜରାଜନଗର ଉପନିର୍ବାଚନ ହାରିବା ପଛର କାରଣ କହିଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ହରାଇବାକୁ ଜଣେ ବରିଷ୍ଠ ନେତା ଦଳ ପାଇଁ ଆତ୍ମଘାତୀ କାମ କରିଥିଲେ । ଆଉ ଏବେ ସେହି ନେତା ପଦ୍ମପୁର ଦାୟିତ୍ୱରେ ଅଛନ୍ତି । ହେଲେ ସେହି ନେତା କିଏ ତାଙ୍କ ନାଁ ନେଇ ନାହାନ୍ତି ରାଧାରାଣୀ ।

ନିର୍ବାଚନ ପ୍ରଚାର ପାଇଁ ବରଗଡ ସାଂସଦଙ୍କ ସମେତ ଅନେକ ନେତା ପ୍ରଚାର କରୁଥିବା ବେଳେ ରାଧାରାଣୀଙ୍କ ଏଭଳି ବୟାନ ଉପନିର୍ବାଚନ ବେଳେ ଦଳରେ କନ୍ଦଳ ଚିତ୍ର ସାମ୍ନାକୁ ଆଣିଛି ।