କନକ ବ୍ୟୁରୋ : ସେଞ୍ଚୁରିଆନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଉଭୟ ବ୍ୟାଟର ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧୩ ରନର ବିଜୟଲାଭ କରିବା ସହ ସିରିଜରେ ୧-୦ରେ ଆଗୁଆ ରହିଛି କୋହଲି ଆଣ୍ଡ କୋ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମ ଇନିଂସରେ ୩୨୭ ରନ କରିଥିଲା । ଆଉ ପ୍ରଥମ ଇନିଂସର ଟିମ୍ ଇଣ୍ଡିଆ ପାଇଁ ନାୟକ ସାଜି ଉଭା ହୋଇଥିଲେ କେ.ଏଲ ରାହୁଲ । ରାହୁଲଙ୍କ ଶତକୀୟ ଇନିଂସ ବଳରେ ଭାରତ ଏହି ଲଢୁଆ ସ୍କୋର କରିପାରିଥିଲା । ଜବାବରେ ପ୍ରଥମ ଇନିଂସରେ ମାତ୍ର ୧୯୭ ରନରେ ଅଲଆଉଟ ହୋଇଥିଲା ପୂରା ଦକ୍ଷିଣ ଆଫ୍ରିକା ଟିମ୍ । ସାମିଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ଦକ୍ଷିଣ ଆଫ୍ରିକା ଦଳ । ପ୍ରଥମ ଇନିଂସରେ ୧୩୦ ରନର ଅଗ୍ରଣୀ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ତେବେ ଦ୍ୱିତୀୟ ଇନିଂସରେ ଭାରତର ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶଜନକ ରହିଥିଲା । ମାତ୍ର ୧୭୪ ରନରେ ପୂରା ଟିମ୍ ପ୍ୟାଭିଲିୟନ ଫେରିଥିଲା ।
ଦ୍ୱିତୀୟ ଇନିଂସରେ ଭାରତ ୧୭୪ ରନରେ ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଦ୍ୱିତୀୟ ପାଳିରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସମଦଶା ଭୋଗିବାକୁ ପଡିଥିଲା । ଭାରତୀୟ ବୋଲରଙ୍କ ମାପଚୁପ୍ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା ଦକ୍ଷିଣ ଆଫ୍ରିକା ଦଳ । ଭାରତୀୟ ପେସ ବାହିନୀ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିବା ସହ ଭାରତକୁ ପ୍ରତିକ୍ଷିତ ବିଜୟ ଭେଟି ଦେଇଥିଲେ । ଉଭୟ ବୁମରା ଓ ସାମି ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସିରାଜ ଓ ଅଶ୍ୱିନୀ ୨ଟି ଲେଖାଏଁ ୱିକେଟ ହାସଲ କରି ଦକ୍ଷିଣ ଆଫ୍ରିକାର ପୂରା ଟିମକୁ ପ୍ୟାଭିଲିୟନ ପଠାଇଥିଲେ ।