କନକ ବ୍ୟୁରୋ : ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶିବସେନା ନାମରେ ଥିବା ନିର୍ବାଚନୀ ଚିହ୍ନକୁ ନେଇ ଲାଗିଥିବା ବିବାଦ ମଧ୍ୟରେ ନିର୍ବାଚନ କମିଶନ ଶିବସେନାର ଚିହ୍ନକୁ ଫ୍ରିଜ୍ କରିଦେଇଛନ୍ତି । ଏହାପରେ ଶିବସେନାର ଉଦ୍ଧବ ଠାକରେ ଗ୍ରୁପ ଆଗାମୀ ନିର୍ବାଚନ ପାଇଁ ୩ ଟି ନାମ ଓ ନିର୍ବାଚନୀ ଚିହ୍ନ ପାଇଁ ଏକ ତାଲିକା ନିର୍ବାଚନ ଆୟୋଗଙ୍କ ପାଖରେ ଦାଖଲ କରିଛନ୍ତି ।

Advertisment

ଉଦ୍ଧବ ଠାକରେଙ୍କ ତରଫରୁ ଦଳର ନାମ ‘ଶିବସେନା ବାଲାସାହେବ ଠାକରେ’, ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ଓ ତୃତୀୟ ନାମ ଭାବେ ବାଲାସାହେବ ପ୍ରବୋନ୍ଧକର ଠାକରେ ରଖିବାକୁ ଆବେଦନ କରିଛନ୍ତି । ସେହିଭଳି ନିର୍ବାଚନୀ ଚିହ୍ନ ପାଇଁ ଯେଉଁ ୩ ଟି ଚିହ୍ନ ମାଗିଛନ୍ତି ସେଥିରେ ପ୍ରଥମେ ତ୍ରିଶୁଳ, ଦ୍ୱିତୀୟରେ ସୂର୍ଯ୍ୟ ଉଦୟ ଓ ତୃତୀୟରେ ମଶାଲ ଚିହ୍ନ ପାଇଁ ଆବେଦନ କରିଛନ୍ତି । ଏନେଇ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ୧୯୮୯ ମସିହାରେ ଶିବସେନାକୁ ନିର୍ବାଚନୀ ଚିହ୍ନ ବାବଦରେ ଧନୁତୀର ମିଳିଥିଲା । ଏହା ପୂର୍ବରୁ ଶିବସେନାର ଖଣ୍ଡା ଓ ଢାଲ ଚିହ୍ନ ରହିଥିଲା । ତା ପୂର୍ବରୁ ବି ଶିବସେନା ଅନେକ ଚିହ୍ନରେ ନିର୍ବାଚନ ଲଢିଥିଲା ।

ଶିବସେନାର ଦଳୀୟ ଚିହ୍ନ ଧନୁ ତୀର ଉପରେ ଉଭୟ ଉଦ୍ଧବ ଠାକରେ ଗ୍ରୁପ ଓ ଏକନାଥ ସିନ୍ଦେ ଗ୍ରୁପ ନିଜ ନିଜର ଅଧିକାର ମାଗିଥିଲେ । ଏହାପରେ ଏହାକୁ ନେଇ ନିର୍ବାଚନ ଆୟୋଗ ଏକ ଅନ୍ତରୀଣ ଆଦେଶ ଜାରି କରି ଉଭୟ ଗ୍ରୁପକୁ ନିଜ ନିଜ ଦଳ ପାଇଁ ୩ ଟି ଲେଖାଏଁ ନାମ ଓ ୩ ଟି ଲେଖାଏଁ ନିର୍ବାଚନୀ ଚିହ୍ନ ଚୟନ କରି ଆବେଦନ କରିବାକୁ କହିଥିଲେ ।