କନକ ବ୍ୟୁରୋ: ବିକାଶ ମୁହାଁ ସ୍ୱାଭିମାନ ଅଂଚଳ । ବଦଳୁଛି ଲାଲଗଡର ରକ୍ତ ଚରିତ୍ର । ଦିନେ ଲାଲଗଡ ପାଲଟି ଥିବା ଆଦିବାସୀ ବହୁଳ ସ୍ୱାଭିମାନ ଅଂଚଳରେ ଆଗକୁ ବଢୁଛି ବିକାଶ । ଉନ୍ନୟନ ମୂଳକ କାମକୁ ଆଗେଇ ନେବା ସହ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱାଭିମାନ ଅଂଚଳରେ ସଜାଗ ପହରି ସାଜିଛନ୍ତି ବିଏସଏଫ ଯବାନ ଓ ଓଡିଶା ପୁଲିସ । ଲାଲବାହିନୀଙ୍କ ଲାଲକୋଠି ଏବେ ସୁରକ୍ଷା କର୍ମୀଙ୍କ ଚେକ୍ ପୋଷ୍ଟ ପାଲଟିଛି । ପୂର୍ବରୁ ଏଠାରେ ମାଓବାଦୀମାନେ ଏକତିତ୍ର ହେଉଥିଲେ । ଏହି ପାହାଡ ଜଙ୍ଗଲ ଘେରାରେ ଥିବା ଲାଲକୋଠିରେ ମାଓବାଦୀଙ୍କ ମୃତଦେହ ରଖି ସହିଦ ସମ୍ମାନ ଦେଉଥିଲା ଲାଲବାହିନୀ । ହେଲେ ଏବେ ଏଠି ଆଉ ମାଓବାଦୀଙ୍କ ଦବଦବା ନାହିଁ । ପୁରା ଅଂଚଳକୁ ସୁରକ୍ଷା କର୍ମୀ ନିଜ କବଜାକୁ ନେଇଯାଇଛନ୍ତି । ହେଲେ ଏଠାରୁ ଅଳ୍ପଦୂରରେ ଏବେ ବି ମାଓବାଦୀଙ୍କ ଗତିବିଧି ରହିଛି ।

Advertisment

ସ୍ୱାଭିମାନ ଅଂଚଳରେ ସୁଧୁରୁଛି ସ୍ୱାସ୍ଥ୍ୟସେବା । ପୁଷ୍ଟିହିନତାକୁ ନେଇ ଚର୍ଚ୍ଚାରେ ଥିବା ଅଂଚଳର ଶିଶୁ ଓ ମହିଳାଙ୍କୁ ସ୍ୱାସ୍ଥ୍ୟ ଯୋଗାଇବା ଉଦେଶ୍ୟରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଦୁର୍ଗମ ଅଂଚଳର ଉଜୁଡା ସ୍ୱାସ୍ଥ୍ୟ ସେବାକୁ ସଜାଡିବା ପାଇଁ ଅଂଟା ଭିଡିଛି ପ୍ରଶାସନ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ୪ ଜଣ ଡାକ୍ତରଙ୍କୁ ସ୍ୱାଭିମାନ ଅଂଚଳରେ ନିଯୁକ୍ତି ଦିଆଯାଇଛି । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ମାଲକାନଗିରିରୁ ଚିତ୍ରକୋଣ୍ଡା, ଜନ୍ତାପାଇ, ହନ୍ତାଳଗୁଡା, ଜନ୍ତୁରାଇ ଦେଇ ଯୋଡାମ୍ବୋରେ ପହିଂଚିଛନ୍ତି ଡାକ୍ତରୀ ଟିମ୍ । ଆଜି ଯୋଡାମ୍ବୋରେ ସ୍ୱାସ୍ଥ୍ୟ ଶିବିର କରି ଜଣେ ଶିଶୁ ରୋଗ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଏବଂ ୨ ଜଣ ଏମ୍ବିବିଏସ୍ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ।

ମଙ୍ଗଳବାର ଦିନ ଚିତ୍ରକୋଣ୍ଡା, ଶୁକ୍ରବାର ଦିନ ଜାନବାଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ଡାକ୍ତରମାନେ ରବିବାର ଦିନ ଯୋଡାଆମ୍ବ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ମାଲକାନଗିରିଡ ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ୯ଟି ପଂଚାୟତକୁ ସ୍ୱାଭିମାନ ଅଂଚଳ ବୋଲି କୁହାଯାଏ । ସେହି ୯ଟି ପଂଚାୟତର ୧୫୦ଟି ଗାଁରେ ପ୍ରାୟ ୩୨ ହଜାର ଲୋକ ବସବାସ କରନ୍ତି । ଏହି ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଛି ।