କନକ ବ୍ୟୁରୋ : ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରେ ପହଞ୍ଚିବା ପରେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସଂଧ୍ୟାରେ ସିଙ୍ଗାପୁରରେ ପହଞ୍ଚିବା ପରେ ରାତିରେ ଟୋକିଓ ଅଭିମୁଖେ ଉଡାଣ ଭରିଥିଲେ ମୁଖ୍ୟମନ୍ତ୍ରୀ । ୭ ଘଣ୍ଟାର ଯାତ୍ରା ପରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପହଞ୍ଚିବା ନେଇ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ।

Advertisment

ଟୋକିଓରେ ପହଞ୍ଚିବା ପରେ ସେଠାରେ ହେବାକୁ ଥିବା ଓଡ଼ିଶା ବିଜନେସ୍ ମିଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଭିନ୍ନ ବଡ଼ ପୁଞ୍ଜିପତିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିବେ । ଏଥିରେ ନିପନ୍ ଷ୍ଟିଲସର ନିର୍ଦ୍ଦେଶକ ତଥା ସଭାପତି ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ଓଡ଼ିଶାରେ ଦୁଇଟି ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍ ପୂର୍ବରୁ ସରକାରଙ୍କ ସହ ପୂର୍ବରୁ ଏମଓୟୁ କରିଥିଲା । ଏଥିରେ ୯୩ ହଜାର କୋଟି ପୁଞ୍ଜି ନିବେଶ ହେବ ।

ପ୍ରତିନିଧି ଦଳରେ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଛନ୍ତି ।

ଏହାବାଦ୍ ଇସ୍ପାତ, ଆଲୁମିନିୟମ, ବୟନଶିଳ୍ପ, ଖାଦ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ହାଇଡ୍ରୋଜେନ ଓ ସବୁଜ ଆମୋନିଆ କ୍ଷେତ୍ରର ଉଦ୍ୟୋଗୀମାନେ ଜାପାନ ଗସ୍ତରେ ଯାଇଛନ୍ତି । ସେମାନେ ଜାପାନର ଶିଳ୍ପସଂସ୍ଥା ସହ ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବେ ।