ଜୈସୱାଲ ଓ ଦୁବେଙ୍କ ଧୂଆଁଧାର ବ୍ୟାଟିଂ । ଟିମ୍ ଇଣ୍ଡିଆର ଆଉ ଏକ ଟି-୨୦ ସିରିଜ୍ ବିଜୟ ।

200

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଆଉଏକ ଟି-୨୦ ସିରିଜ୍ ବିଜୟ । ଦ୍ୱିତୀୟ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟ୍ରେ ହରାଇଲା ଭାରତ । ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରି ନେଇଛି । ଇନ୍ଦୋରରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୭୨ ରନ୍ କରି ଅଲଆଉଟ୍ ହୋଇଥିଲା । ଅଲରାଉଣ୍ଡର ଗୁଲବଦିନ ନଇବ ସର୍ବାଧିକ ୫୭ ରନର ଇନିଂସ୍ ଖେଳିଥିଲେ । ନଜିବୁଲ୍ଲା ଜାଦରାନ ମୁଜୀବ-ଉର୍-ରେହମାନ୍ ୨୧ ରନ୍ ଏବଂ କରିମ ଜନ୍ନତ ୨୦ ରନ୍ କରିଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ୱିକେଟ୍ ନେଇଥିବା ବେଳେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ସଫଳତା ପାଇଥିଲେ । ୧୭୩ ରନ୍ର ଲକ୍ଷ୍ୟକୁ ଭାରତ ମାତ୍ର ୧୫ ଓଭର ୪ଟି ବଲ୍ରେ ହାସଲ କରିନେଇଥିଲା । ଅଧିନାୟକ ରୋହିତ୍ ଶର୍ମା ପୁଣିଥରେ ଖାତା ଖୋଲିପାରିନଥିଲେ । ଯଶସ୍ୱୀ ଜୈସୱାଲ ଓ ଶିବମ ଦୁବେ ଜବରଦସ୍ତ ବ୍ୟାଟିଂ କରି ଆଫଗାନ୍ ବୋଲରଙ୍କୁ ନିରାଶ କରିଥିଲେ । ଜୈସୱାଲ ୩୪ ବଲ୍ ଖେଳି ୫ଟି ଚୌକା ଓ ୬ଟି ଛକା ସହ ୬୮ ରନ୍ କରି ଆଉଟ ହୋଇଥିଲେ । ଦୁବେ ୩୨ ବଲରେ ୬୩ ରନ୍ କରି ଅପରାଜିତ ଥିଲେ । ପ୍ରତ୍ୟାବର୍ତନ ମ୍ୟାଚ୍ରେ ବିରାଟ କୋହଲି ୨୯ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ମ୍ୟାଚକୁ ମଧ୍ୟ ଭାରତ ୬ ୱିକେଟ୍ରେ ଜିତି ନେଇଥିଲା ।