କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପୁଣିଥରେ ଏସିଆ କପରେ ନିଜର ପାରଦର୍ଶିତା ଦେଖାଇଛି । ଭାରତୀୟ ମହିଳା କ୍ରିକେଟ ଟିମ୍ ଶ୍ରୀଲଙ୍କାକୁ ହରାଇ ଏସିଆ କପର ଚାମ୍ପିଆନ ହୋଇଛି । ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ।

Advertisment

ଆଜି ଶ୍ରୀଲଙ୍କାକୁ ହରାଇବା ପରେ ଭାରତୀୟ ମହିଳା କ୍ରିକେଟ ଟିମ୍ ୭ମ ଥର ପାଇଁ ଏସିଆ କପରେ ଚାମ୍ପିଆନ ହୋଇଛି । କହିରଖୁ କି ଏସିଆ କପ୍ ର ଏହା ସିଜିନ ୮ ଥିଲା । ଅର୍ଥାତ ଗୋଟିଏ ଥର କେବଳ ଭାରତୀୟ ମହିଳା କ୍ରିକେଟ ଟିମ୍ ହାତରୁ ଏସିଆ କପ ଚାଲିଯାଇଥିଲା । ବାକି ୭ ଥର ଦଳ ଏହି କପକୁ ଜିତି ଦେଶପାଇଁ ଗୌରବ ଆଣିଛି ।

ଚଳିତ ବର୍ଷ ଏସିଆ କପ୍ ବାଂଲାଦେଶରେ ଖେଳାଯାଉଥିଲା । ସିରିଜର ସମସ୍ତ ମ୍ୟାଚ ସିଲହଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ଶ୍ରୀଲଙ୍କା ଟିମ୍ ୯ ୱିକେଟ ହରାଇ ମୋଟ ୬୫ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା ।

ହେଲେ ଭାରତୀୟ ଟିମ୍ ଆରମ୍ଭର ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ୮.୩ ଓଭର ଖେଳି ମୋଟ ୨ ଟି ୱିକେଟ ହରାଇ ମ୍ୟାଚ ବିଜୟୀ ହୋଇଛି ।