କନକ ବ୍ୟୁରୋ : ବିବାଦ ଭିତରେ ଟେଷ୍ଟ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି ଟିମ୍ ଇଣ୍ଡିଆ । କରୋନାର ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ଟେଷ୍ଟ ସିରିଜ ଖେଳିବାକୁ ବିଦେଶ ଗସ୍ତରେ ଯାଇଛି ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବ । ତେବେ ଦକ୍ଷିଣ ଆଫ୍ରିକାରେ ଏବେ ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଟିମ୍ ଇଣ୍ଡିଆକୁ ଜୈବବଳୟ ଭିତରେ ରଖାଯାଇଛି । ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ତୁରନ୍ତ କରୋନା ଟେଷ୍ଟ କରାଯିବା ସହ କ୍ୱାରେଣ୍ଟିନରେ ରଖାଯାଇଛି । ଟିମ୍ ଇଣ୍ଡିଆର ସମସ୍ତ ଖେଳାଳୀଙ୍କୁ ଏକ ରିସୋର୍ଟରେ ରଖାଯାଇଛି । ଆଉ ଏହି ସ୍ଥାନରୁ ଏବେ ଫଟୋ ସେୟାର କରିଛନ୍ତି ଭାରତୀୟ ଖେଳାଳୀ ।

Advertisment

ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ କ୍ୱାରେଣ୍ଟିନରେ ରହିଛନ୍ତି । ଇରିନ ରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳୀ ରହିଛି । ଆଉ ଏହିଠାରୁ ଭାରତୀୟ ଦଳ ସେଞ୍ଚୁରିଆନ ଅଭିମୁଖେ ଯାତ୍ରା କରିବା ସହ ପ୍ରଥମ ମ୍ୟାଚ୍ ଖେଳିବ । ତେବେ ଏହି ରିସୋର୍ଟରେ ପହଞ୍ଚିବା ପୂର୍ବରୁ ଏହାକୁ କିଛି ଦିନ ଆଗରୁ ବନ୍ଦ କରି ରଖାଯାଇଥିଲା । କାରଣ ଟିମ୍ ଇଣ୍ଡିଆର ଖେଳାଳୀଙ୍କୁ ଏଠାରେ ରଖିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଥିଲା । ଟିମ୍ ଇଣ୍ଡିଆର ଖେଳାଳୀ ଏଠାରେ ପହଞ୍ଚିବା ପରେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିସୋର୍ଟର କର୍ମଚାରୀ ନାଚିବା ସହ ଖେଳାଳୀଙ୍କୁ ସ୍ୱାଗତ କରିଥିଲେ । ଏଠାରେ ହୋଟେଲ, ସ୍ପା, ରେସ୍ତୋରାଂ ଭଳି ସୁବିଧା ରହିଛି । ପୂରା ୬୦ ଏକର ଜମିରେ ଏହି ରିସୋର୍ଟ ବ୍ୟାପିଥିବା ବେଳେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି ।

ଏହି ରିସୋର୍ଟରେ ପିକିନିକ୍ କରିବାକୁ ଭିନ୍ନ ଏକ ସ୍ଥାନ ରହିଛି । ଏହାବାଦ ରୁମ ଭିତରୁ ଜଙ୍ଗଲ, ହ୍ରଦ ଓ ଗଲ୍ଫ ଭିୟୁର ମଜା ନେଇପାରିବେ ଖେଳାଳୀ । ଏଠାରେ ରହିବାକୁ ଗୋଟିଏ ରାତି ପିଛା ଗ୍ରାହକଙ୍କୁ ୧୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।