ବାତ୍ୟା ବଳୟରେ ବିଶ୍ୱ ବିଜେତା । ବାର୍ବାଡୋସରୁ ଖେଳାଳୀଙ୍କୁ ଭାରତ ଆଣିବାକୁ ଚାଟାର୍ଡ ଫ୍ଲାଇଟ ପଠାଇବ ବିସିସିଆଇ ।

191

କନକ ବ୍ୟୁରୋ : ବାତ୍ୟା ବଳୟରେ ଫଶିଛି ଚାମ୍ପିୟନ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ ବିଜୟୀ ଟିମ୍ ଇଣ୍ଡିଆ ବାର୍ବାଡୋସରେ ଏଯାଏଁ ଫଶିକି ରହିଛି । ବାତ୍ୟା ବେରିଲ ପାଇଁ ଏଯାଏଁ ସ୍ୱଦେଶ ଫେରିପାରି ନାହାନ୍ତି ଭାରତୀୟ ଦଳର ଖେଳାଳୀ । ବାତ୍ୟା କାରଣରୁ ବିମାନ ଉଡାଣ ବନ୍ଦ ରହିଥିବା ବେଳେ ପୂରା ସହରରେ କର୍ଫ୍ୟୁ ସ୍ଥିତି ସୃଷ୍ଟି ହୋଇଛି ।

ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ କରାଯାଇଛି । ଭୀଷଣ ବାତ୍ୟା ପାଇଁ ଟିମ୍ ଇଣ୍ଡିଆର ଖେଳାଳୀ ହୋଟେଲରେ ଅଟକି ରହିଛନ୍ତି । ଅନ୍ୟପଟେ ବାର୍ବାଡୋସରୁ ଖେଳାଳୀଙ୍କୁ ଭାରତକୁ ଫେରାଇ ଆଣିବାକୁ ବିସିସିଆଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।

ଟିମ୍ ଇଣ୍ଡିଆର ଖେଳାଳୀଙ୍କୁ ବାର୍ବାଡୋସରୁ ଆଣିବାକୁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରିଛି ବିସିସିଆଇ । ବୁଧବାର ସନ୍ଧ୍ୟା ୭ଟା ୪୫ରେ ଦିଲ୍ଲୀରେ ପହଞ୍ଚିବେ ଭାରତୀୟ ଖେଳାଳୀ । ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ଭାରତ ପୁଣିଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି । ଭାରତ ଟି-୨୦ ବିଶ୍ୱକପ ଜିତିଥିବା ବେଳେ ଷ୍ଟାର ବ୍ୟାଟର ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-୨୦ ଫର୍ମାଟକୁ ବାଏ ବାଏ କରିଛନ୍ତି ।