ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଖେଳିବେନି ରୋହିତ ଶର୍ମା । ରାହୁଲ ଅଧିନାୟକ, ବୁମରା ଉପ-ଅଧିନାୟକ । ୧୮ ଜଣିଆ ଦଳରେ ବିରାଟ କୋହଲି ସାମିଲ 

205

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ଯେଉଁଥିରେ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକ ଭାର ମିଳିଛି କେ ଏଲ୍ ରାହୁଲଙ୍କୁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘୋଷଣା ହୋଇଥିବା ଦିନିକିଆ ସିରିଜରେ ବିଦାୟୀ କ୍ୟାପଟେନ୍ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି । ତେଣୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆ ଫ୍ୟାନ୍ ମାନେ ରୋହିତଙ୍କ ମିସ୍ କରିବା ସହିତ ପଡିଆରେ କୋହଲିଙ୍କୁ ଦେଖିବାକୁ ପାଇବେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପୂର୍ବରୁ ଟିମ ଇଣ୍ଡିଆରେ ଅନେକ ପରିବର୍ତ୍ତନ ଘଟିଛି । ବିରାଟ କୋହଲି ଦିନିକିଆ ଓ ଟି-୨୦ ଅଧିନାୟକ ପଦରୁ ବିଦାୟ ନେବା ସହିତ ବିସିସିଆଇ ଏହି ପଦରେ ରୋହିତ ଶର୍ମାଙ୍କୁ ନିଯୁକ୍ତ କରିଛି । ହେଲେ ଆହତ ଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡିଛନ୍ତି ରୋହିତ ଶର୍ମା । ଅନ୍ୟପଟେ ଏହି ସିରିଜରେ କୋହଲି ଖେଳିବା ନେଇ ଯେଉଁ ଆଶା ଆଶଙ୍କା ରହିଥିଲା ସେଥିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ଲାଗିଛି ।

ଅବଶ୍ୟ ବହୁ ପୂର୍ବରୁ ଅଧିନାୟକ ବିରାଟ କୋହଲି ଏହି ସିରିଜ୍ ଖେଳିବା ନେଇ ସୂଚନା ଦେଇସାରିଥିଲେ । ହେଲେ ପ୍ରଥମରୁ ସୃଷ୍ଟି ହୋଇଥିବା ବିବାଦ କାରଣରୁ , ସେ ଦଳରେ ରହିବେ କି ନରହିବେ ସେ ନେଇ କୌଣସି ପକ୍କା ଖବର ମିଳିନଥିଲା । ତେବେ ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜକୁ ଖେଳିବାକୁ ମନା କରିଥିଲେ ବିରାଟ କୋହଲି । ଏହି ସମୟରେ ସେ ତାଙ୍କ ଝିଅ ସହ ସମୟ ଅତିବାହିତ କରିବାକୁ ସ୍ଥିର କରିଥିଲେ । ହେଲେ ଏହି ସମୟରେ ଏହାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଥିଲା ।

ରୋହିତଙ୍କୁ ଅଧିନାୟକ କରିବା ପରେ କୋହଲି ବିସିସିଆଇ ଉପରେ ରାଗ ରଖି ଏପରି କରିଥିବା ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ନିଜେ କୋହଲି ପ୍ରେସମିଟ୍ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଖେଳିବେ ବୋଲି ଘୋଷଣା କରିଥିଲେ । ଆଉ ଏବେ ତାଙ୍କୁ ଚୟନକର୍ତ୍ତା ମାନେ ଦଳରେ ସ୍ଥାନ ଦେଇଛନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେ ଏଲ୍ ରାହୁଲଙ୍କୁ ଚୟନକର୍ତ୍ତାମାନେ ଅଧିନାୟକ ଭାର ଦେଇଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ସେ ଏବେ ଦଳର ମଙ୍ଗ ଧରିବେ । ତାଙ୍କ ସହିତ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ମଧ୍ୟ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

ଭାରତୀୟ ଦଳ: କେ ଏଲ ରାହୁଲ (ଅଧିନାୟକ), ଶିଖର ଧାୱନ୍, ଋତୁରାଜ ଗାଏକ୍ୱାଡ୍,ବିରାଟ କୋହଲି,ସୂର୍ଯ୍ୟ କୁମାର ଯାଦ.ଶ୍ରେୟାସ ଆୟାର,ଭେଙ୍କଟେଶ ଆୟାର,ରିଷଭ ପନ୍ତ,ଇଷାନ କିଶାନ.ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନୀ, ୱାସିଂଟନ୍ ସୁନ୍ଦର, ଜଶପ୍ରୀତ ବୁମରା,ଭୁବନେଶ୍ୱର କୁମାର.ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା,ସାର୍ଦ୍ଦୁଲ ଠାକୁ. ମହମ୍ମଦ ସିରାଜ