ସ୍କଟଲାଣ୍ଡ ଜିତିଲେ ଭାରତ ପାଇଁ ଖୋଲିବ ସେମିଫାଇନାଲ ରାସ୍ତା । ଜାଣନ୍ତୁ କେମିତି? 

315

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ପୂର୍ବରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇଛି ବିରାଟ ବାହିନୀ । ଯାହା ଭାରତର ସେମିଫାଇନାଲ ରାସ୍ତାକୁ କଷ୍ଟକର କରି ଦେଇଛି । ଆଉ ଭାରତର ଏଭଳି ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଭାରତର ସେମିଫାଇନାଲ ଖେଳିବା ଆଶା ଏବେ ବି ଉଜ୍ଜିବୀତ ରହିଛି । ଖାସକରି ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ସ୍କଟଲାଣ୍ଡ ବିଜୟୀ ହେଉ ଏହା ଚାହିଁବ ଭାରତ । ଯାହାଦ୍ୱାରା ଭାରତର ସେମିଫାଇନାଲ ଖେଳିବା ଆଶା ଆହୁରି ଦୃଢୀଭୂତ ହେବ ।

ଆଜି ନ୍ୟୁଜିଲାଣ୍ଡ ଓ ସ୍କଟଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ସେହିଭଳି ଦ୍ୱିତୀୟ ମୁକାବିଲା ଭାରତ-ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ।  ଆଫଗାନିସ୍ତାନ ବିପକ୍ଷରେ ଭାରତ ବଡ ବ୍ୟବଧାନରେ ଜିତିବାକୁ ଚାହିଁବ , ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍କଟଲାଣ୍ଡ ଜିତୁ ଏହା ଭାରତ ନିଶ୍ଚୟ ଚାହିଁବ । ଏଭଳି ହେଲେ ନ୍ୟୁଜିଲାଣ୍ଡ ମଧ୍ୟ ୨ଟି ମ୍ୟାଚ୍ ହାରିଯିବ । ଏହାର ପରବର୍ତ୍ତୀ ମ୍ୟାଚ ଗୁଡିକ ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ଜିତିଲେ ମଧ୍ୟ ନେଟ ରନ୍ ରେଟ ସେମିଫାଇନାଲ ପାଇଁ ବାଟ ଖୋଲିବ । ଆଉ ଏହି ଆଧାରରେ ଭାରତ ପାଇଁ ସୁଯୋଗ ସୃଷ୍ଟି ହେବ । ତେବେ ଏହି ଗ୍ରୁପରେ ପ୍ରଥମ ଟିମ୍ ଭାବେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି । ଲଗାତାର ୪ଟି ମ୍ୟାଚରେ ବିଜୟୀ ହେବା ସହ ପାକିସ୍ତାନ ଦମଦାର ଫର୍ମରେ ରହିଛି ।