କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ବାପାଙ୍କ ସମାଧିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ମହମ୍ମଦ ସିରାଜ ।

130

କନକ ବ୍ୟୁରୋ : କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ଅଷ୍ଟ୍ରେଲିଆରେ ୨-୧ରେ ସିରିଜ ଜିତିବା ପରେ ଭାରତ ଫେରିଛନ୍ତି ଭାରତୀୟ କ୍ରିକେଟର । ଗୁରୁବାର ସକାଳୁ ଟିମ ଇଣ୍ଡିଆର ଖେଳାଳି ଓ ସର୍ପୋଟ ଷ୍ଟାଫ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇରେ ପହଂଚିଛନ୍ତି ଖେଳାଳି । ସିରିଜରେ ପ୍ରଦର୍ଶନକୁ ନେଇ ଟିମ ଇଣ୍ଡିଆର ଖେଳାଳିମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଫେବ୍ରୁୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ପ୍ରଥମ ଟେଷ୍ଟ ଫେବ୍ରୁୟ।ରୀ ୫ରୁ ୯ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ୧୩ରୁ ୧୭ଯାଏଁ ଖେଳାଯିବ ।

ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ପେସ୍ ବୋଲର ମହମ୍ମଦ ସିରାଜ ଆଜି ଭାରତ ଫେରିଛନ୍ତି । ହାଇଦ୍ରାବାଦର ଶାମଶାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ଖୈରାତାବାଦରେ ଥିବା ଶ୍ମଶାନକୁ ଯାଇଥିଲେ । ଶ୍ମଶାନରେ ସିରାଜଙ୍କ ବାପାକୁ ସମାଧି ଦିଆଯାଇଛି । ପିତାଙ୍କ ସମାଧି ନିକଟରେ ଭାବବିହ୍ୱଳ ହୋଇପଡିଥିଲେ ସିରାଜ । ଏବଂ କୁରାନ ପଢି ନିଜ ବାପାଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ ।

ଗତ ନଭେମ୍ବର ୨୦ତାରିଖରେ ସିରାଜଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହାର ସପ୍ତାହକ ପୂର୍ବରୁ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ପିତାଙ୍କ ଦେହାନ୍ତ ଖବର ପାଇ ସେ ଭାଙ୍ଗିପଡିଥିଲେ ସୁଦ୍ଧା ଦେଶ ପାଇଁ ଖେଳି ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଅଷ୍ଟ୍ରେଲିଅ ଗସ୍ତ ବେଳେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ ସିରାଜ । ଏ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣାରେ ସେ ଭାଙ୍ଗି ପଡିନଥିଲେ ବରଂ ଏପରି ଘଟଣା ତାଙ୍କୁ ଆହୁରି ମଜଭୁତ କରିଥିଲା ।

ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମରା ଓ ଉମେଶ ଯାଦବଙ୍କ ଭଳି ଅଭିଜ୍ଞ ବୋଲରଙ୍କ ଅନୁପସ୍ଥିତିରେ ସିରାଜ ଚମକ୍ରାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ୧୩ଟି ୱିକେଟ ନେଇଛନ୍ତି ।

ସେପଟେ ଭାରତୀୟ ଦଳର ଉଦୀୟମାନ ଖେଳାଳି ନଟରାଜନ ତାମିଲନାଡୁରେ ନିଜ ଘରକୁ ଫେରିଛନ୍ତି । ଅଷ୍ଟ୍ରଲିଆରେ ନିଜର ଦମଦାର ବୋଲିଂ ଯୋଗୁଁ ହିରୋ ପାଲଟିଥିବା ନଟରାଜନଙ୍କୁ  ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ରଥରେ ତାଙ୍କୁ ପାଛୋଟି ନେଇଥିଲେ ପ୍ରଶଂସକ । ତାମିଲନାଡୁର ତାଙ୍କ ଗାଁରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କ ସ୍ୱାଗତ ପାଇଁ ରାଜରାସ୍ତାରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ବେକରେ ଫୁଲ ମାଳ ପିନ୍ଧାଇ ରଥରେ ବସାଇ ଟିମ ଇଣ୍ଡିଆର ବିଜୟ ସ୍ଲୋଗାନ ଦେଇ ନଟରାଜନଙ୍କୁ ପାଛୋଟି ନେଇଥିଲେ କ୍ରିକେଟ ପ୍ରେମୀ ।