ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ସାମ୍ବାଦିକ ସମ୍ମିଳନୀ । ଜାଣନ୍ତୁ କ’ଣ କହିଲେ ଦଳର ନୂଆ କୋଚ୍ ରାହୁଲ ଦ୍ରାବିଡ୍ ।

291

କନକ ବ୍ୟୁରୋ : ଦ୍ରାବିଡ୍ ଓ ରୋହିତଙ୍କ ପ୍ରେସମିଟ୍ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ସାମ୍ବାଦିକ ସମ୍ମିଳନୀ । ପ୍ରେସମିଟରେ ରାହୁଲ ଦ୍ରାବିଡ୍ କହିଛନ୍ତି, ନୂଆ ଖେଳାଳୀଙ୍କ ପାଇଁ ବଡ଼ ସୁଯୋଗ ରହିଛି । ଖେଳାଳୀଙ୍କ ସହ କାମ କରିବାକୁ ବହୁତ ଆଗ୍ରହୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ଦ୍ରାବିଡ୍ । ସେ ଆହୁରି ମଧ୍ୟ କହିଛନ୍ତି, ଆମ ପାଖରେ ଏକ ସନ୍ତୁଳିତ ଟିମ୍ ରହିଛି । ତେବେ କାଲିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ।

କାଲିଠୁ ଆରମ୍ଭ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଏହି ଦ୍ୱିପାକ୍ଷିକ ସିରିଜରେ ମୋଟ୍ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଜୋରଦାର ଅଭ୍ୟାସ କରୁଛି ଭାରତ ।

ମ୍ୟାଚ୍ ପୂର୍ବରୁ ମୈଦାନରେ ଜୋରଦାର କସରତ କରୁଛନ୍ତି ଭାରତୀୟ ଖେଳାଳୀ । ଆଉ ଆକ୍ସନ ମୋଡରେ ନଜର ଆସିଛନ୍ତି ନୂଆ ଅଧିନାୟକ ଏବଂ ନୂଆ କୋଚ । ଟି-୨୦ରୁ ବିରାଟ କୋହଲି ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା ହୋଇଛନ୍ତି ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ । ସେହିପରି ରାହୁଲ ଦ୍ରାବିଡ୍ ଭାରତୀୟ ଦଳର କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି । ଆଉ ଖେଳାଳୀଙ୍କ ସହ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଦ୍ରାବିଡ ।

ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିବା ପରେ ରାହୁଲ ଦ୍ରାବିଡଙ୍କୁ ନୂଆ କୋଚ୍ ଭାବେ ଦାୟିତ୍ୱ ଦେଇଛି ବିସିସିଆଇ । ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ବହନ କରିବେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଖେଳାଯିବ ।