କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ୍ । ଏଥିପାଇଁ ବିସିସିଆଇ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଇଥିବାବେଳେ, ଆଇସିସି ମଧ୍ୟ ନିଜ କାମ ଜାରି ରଖିଛି । ଆଉ ଏହାରି ଭିତରେ ଆସିଛି ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚର ଖେଳସୂଚୀ । ଆଇସିସି ନିଜ ସୋସିଆଲ୍ ମିଡିଆରେ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚର ଖେଳସୂଚୀ ଜାରି କରିଛି ।

Advertisment

ଆଇସିସି ତରଫରୁ ମିଳିଥିବା ସୂଚନା ମୁତାବକ, ବିଶ୍ୱକପରେ ଭାଗ ନେବାକୁ ଥିବା ୧୦ଟି ଯାକ ଦଳ ବିଶ୍ୱକପ୍ ପୂର୍ବରୁ ଦୁଇଟି ଲେଖାଏଁ ୱାର୍ମଅପ୍ ମ୍ୟାଚ୍ ଖେଳିବେ । ସମସ୍ତ ୱାର୍ମଅପ୍ ମ୍ୟାଚ୍ କେବଳ ୩ଟି ଷ୍ଟାଡିୟମରେ ଖେଳାଯିବ । ଗୌହାଟୀ, ଥିରୁଅନନ୍ତପୁରମ୍ ଏବଂ ହାଇଦ୍ରାବାଦରେ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦିଆଯାଇଛି ।

ଏହି କ୍ରମରେ ଆୟୋଜକ ଭାରତ ମଧ୍ୟ ବିଶ୍ୱକପ୍ ପୂର୍ବରୁ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୩୦ ତାରିଖରେ ଇଂଲଣ୍ଡ ଏବଂ ଦ୍ୱିତୀୟ ମ୍ୟାଚରେ ଅକ୍ଟୋବର ୩ ତାରିଖରେ ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚଟି ଗୌହାଟୀରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ଅଭ୍ୟାସ ମ୍ୟାଚଟି ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।

ଜାଣିରଖିବା ଉଚିତ୍ ଯେ, ବିଶ୍ୱକପର ପ୍ରମୁଖ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସମସ୍ତ ଦଳ କିଛି କିଛି ୱାର୍ମଅପ୍ ମ୍ୟାଚ୍ ଖେଳିଥାନ୍ତି । ଏହି ମ୍ୟାଚରେ ଦଳର ସମସ୍ତ ୧୫ ଜଣ ଖେଳାଳି ବ୍ୟାଟିଂ ଏବଂ ବୋଲିଂ କରିବାର ସୁଯୋଗ ପାଇଥାନ୍ତି । ଆସନ୍ତା ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ୱକପ୍ ଭାରତରେ ଆରମ୍ଭ ହେବାର ଅଛି । ଯାହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।