ଶେଷ ଟେଷ୍ଟ ଖେଳିବାକୁ ଚାହୁଁନି କି ଟିମ୍ ଇଣ୍ଡିଆ? ଜାଣନ୍ତୁ କଣ ହୋଇପାରେ କାରଣ?

312

କନକ ବ୍ୟୁରୋ : ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ ଖେଳାଯିବା ଉପରେ ଏବେ ବି ସଙ୍କଟର କଳାବାଦଲ ଘୂରି ବୁଲୁଛି ।ସମସ୍ତ ଭାରତୀୟ ଖେଳାଳୀଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଥିଲେ ମଧ୍ୟ ମ୍ୟାଚ ଖେଳାଯିବା ନେଇ ଏବେ ବି ସସପେନ୍ସ ଲାଗି ରହିଛି । କାରଣ ଅଧିକାଂଶ ଭାରତୀୟ ଖେଳାଳୀ ଶେଷ ଟେଷ୍ଟ ଖେଳିବାକୁ ଚାହୁଁନଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ଖେଳାଳୀଙ୍କ ମଧ୍ୟରେ କରୋନାକୁ ନେଇ ଭୟ ରହିଛି । କାରଣ ଟିମର ସହକାରୀ ଫିଜିଓ ଥେରାପିଷ୍ଟ କରୋନାରେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ବୋଲିଂ କୋଚ, ଫିଜିଓ ଥେରାପିଷ୍ଟ କରୋନାରେ ସଂକ୍ରମିତ ହୋଇ ସଙ୍ଗରୋଧରେ ରହିଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଖେଳାଳୀଙ୍କ ମଧ୍ୟରେ ଗତ ଗୁରୁବାର ଏହି ପ୍ରସଙ୍ଗରେ ବୈଠକ ହୋଇଥିଲା । ଯେଉଁଥିରେ ଅଧିକାଂଶ ଖେଳାଳୀ ୫ମ ଟେଷ୍ଟ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । କାରଣ ଶେଷ ଟେଷ୍ଟର ୪ ଦିନ ପରେ ୟୁଏଇରେ ଆଇପିଏଲ ୨୦୨୧ର ବଳକା ମ୍ୟାଚ୍ ଖେଳାଯିବ । ତେଣୁ ଏହା ପୂର୍ବରୁ ଖେଳାଳୀଙ୍କୁ କରୋନା ସଂକ୍ରମଣର ଯଥେଷ୍ଟ ଭୟ ରହିଛି । ଖାସକରି ଯେଉଁମାନେ ଫିଜିଓଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କରୋନା ଭୟ ଘାରିଛି । ଚତୁର୍ଥ ଟେଷ୍ଟ ସମୟରେ ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ମହମ୍ମଦ ସାମି, ଇଶାନ୍ତ ଶର୍ମା ଫିଜିଓଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ଖେଳାଳୀଙ୍କର ଆରଟି-ପିସିଆର ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ଯେହେତୁ କରୋନାର ଲକ୍ଷଣ କିଛି ଦିନ ପରେ ଦେଖିବାକୁ ମିଳେ ତେଣୁ କୌଣସି ଖେଳାଳୀ ରିସ୍କ ନେବାକୁ ଚାହୁଁନଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଟେଷ୍ଟ ସିରିଜ ଶେଷ ହେବା ପରେ ଆଇପିଏଲ ଆରମ୍ଭ ହେବ । ଆଉ ଏହାପରେ ଟି-୨୦ ବିଶ୍ୱକପ । ତେଣୁ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳୀଙ୍କୁ ସୁସ୍ଥ ହେବା ପରେ ଦଳରେ ସାମିଲ କରାଯିବ କି ନାହିଁ ତାହା ଉପରେ ସଂଶୟ ରହିଛି । ତେବେ ଅନ୍ୟ କିଛି ରିପୋର୍ଟରେ କୁହାଯାଇଛି ଯେ, ନିର୍ଦ୍ଦିଷ୍ଟ ସମୟରେ ୫ମ ଟେଷ୍ଟ ଖେଳାଯିବ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମ୍ୟାଚ୍ ଖେଳାଯିବ । କାରଣ ଟିମ୍ ଇଣ୍ଡିଆର ଫିଜିଓ ସଂକ୍ରମିତ ହେବା ପରେ ମଧ୍ୟ ଦଳର କୌଣସି ଖେଳାଳୀ କରୋନାରେ ସଂକ୍ରମିତ ହୋଇନାହାନ୍ତି । ତେବେ ବିସିସିଆଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ ।