କନକ ବ୍ୟୁରୋ: ଆଜି ଅଭ୍ୟାସ କାଲି ମୁକାବିଲା । ବାରବାଟୀ ଲଢେଇ ପାଇଁ ଆଜି ମୈଦାନକୁ ଓହ୍ଲାଇବେ ଦୁଇ ଦଳର ଖେଳାଳି । ତେବେ ଗୋଟିଏ ଦିନ ଫୁରସତ ପରେ ଆଜି ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିବେ ଦୁଇ ଦଲର ଖେଳାଳିମାନେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ଟିମ୍ ଇଣ୍ଡିଆର ବିରାଟ ବାହିନୀ ଅଭ୍ୟାସ ପାଇଁ ବାରବାଟୀ ଅଭିମୁଖେ ବାହାରିଛି ।
ଆସନ୍ତାକାଲି ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଦୁଇ ଦଳ ଆଜି ଷ୍ଟାଡିୟମ ଯାଇ ଅଭ୍ୟାସ୍ କରିବେ । ଓଡ଼ିଶା କ୍ରିକେଟ ଆସୋସିଏନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳେ ବାରବାଟୀ ଷ୍ଟାଡିୟମ୍ ଯାଇ ଅଭ୍ୟାସ କରିବ ଭାରତୀୟ ଦଳ । ଯେଉଁଥିପାଇଁ ନିର୍ଧାରିତ ସମୟାନୁସାରେ ଅଭ୍ୟାସ ପାଇଁ ଟିମ୍ ଇଣ୍ଡିଆ ବାହାରିଛି । ଅପରାହ୍ନ ଯାଏଁ ଅଭ୍ୟାସ କରିବା ପରେ ୨ଟାରେ ଭୁବନେଶ୍ୱର ଫେରି ଆସିବ ଦଳ । ଅପରପକ୍ଷେ ୱେଷ୍ଟଇଣ୍ଡିଜ୍ ଦଳ ଦିନ ଗୋଟିଏରେ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍ ଯିବ । ୱେଷ୍ଟଇଣ୍ଡିଜ୍ ଦଳ ରାତି ପ୍ରାୟ ୯ଟା ବେଳେ ଫେରିବାର କାର୍ଯ୍ୟକ୍ରମ ରହିଛି ।
ବାରବାଟୀରେ ଏପର୍ଯ୍ୟନ୍ତ ୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଦୁଇଟି ବାତିଲ ହୋଇଛି ଏବଂ ୧୮ଟିର ଫଳାଫଳ ଆସିଛି । ଏହି ୧୮ଟି ମ୍ୟାଚ ଭିତରୁ ଭାରତ ଖେଳିଛି ୧୬ଟି ମ୍ୟାଚ, ଜିତିଛି ୧୨ଟି । ବାରବାଟୀରେ ଖେଳିନଥିବା ଦୁଇଟି ମ୍ୟାଚ ହେଉଛି, ୧୯୮୭ ଅଷ୍ଟ୍ରେଲିଆ-ଜିମ୍ବାୱେ, ୧୯୮୯ରେ ଇଂଲଣ୍ଡ-ପାକିସ୍ତାନ । ଭାରତ ୧୯୮୪, ୨୦୦୨ରେ ଇଂଲଣ୍ଡ ଠାରୁ, ୧୯୯୦ରେ ଶ୍ରୀଲଙ୍କା ଠାରୁ ଓ ୨୦୦୩ରେ ନ୍ୟୁଜିଲାଣ୍ଡଠାରୁ ବାରବାଟୀରେ ପରାସ୍ତ ହୋଇଛି । ୨୦୦୭ ମସିହା ଠାରୁ ବାରବାଟୀରେ ଫଳାଫଳ ଆସିଥିବା ୬ଟି ମ୍ୟାଚରୁ ୬ଟି ଯାକ ଭାରତ ବିଜୟ ହୋଇଛି ।
ଅର୍ଥାତ ୨୦୦୩ରେ ଶେଷ ଥର ପାଇଁ ବାରବାଟୀରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୪ ୱିକେଟରେ ହାରିଥିଲା । ବାରବାଟୀରେ ଏପର୍ଯ୍ୟନ୍ତ ମୋଟ ୧୨ଟି ଦିନିକିଆ ଶତକ ହୋଇଥିବା ବେଳେ ୧୫୩ରନ ସହ ମହମ୍ମଦ ଆଝାରୁଦ୍ଧିନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲ କରିଛନ୍ତି । ଏଠାରେ ଶତକ ହାସଲ କରିଥିବା ଅନ୍ୟ ଭାରତୀୟ ଖେଳାଳି ହେଉଛନ୍ତି ରବି ଶାସ୍ତ୍ରୀ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର, ଆଜିଙ୍କ୍ୟ ରାହାଣେ, ଶିଖର ଧାୱନ, ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନି । ୨୦୧୭ରେ ବାରବାଟୀରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚରେ ଭାରତ ୧୫ରନରେ ବିଜୟୀ ହୋଇଥିବା ବେଳେ ଯୁବରାଜ ସିଂ ୧୫୦ ଓ ମହେନ୍ଦ୍ର ସିଂ ଧୋନି ୧୩୪ ରନର ଶତକୀୟ ଇନିଂସ ଖେଳିଥିଲେ ।