ଟି-୨୦ ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ  । ଟ୍ରଫି ପାଇଁ ଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଭାରତର ହେବ ମୁକାବିଲା ।

617

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ଫାଇନାଲରେ ଟିମ୍୍ ଇଣ୍ଡିଆ । ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲ ପାଇଁ ଟିକେଟ କାଟିଛି ଭାରତ । ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲା ଓ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲା ।

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ୍ କରିଥିଲା । ଅଧିନାୟକ ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ୨ଟି ଛକା ଓ ୬ଟି ଚୌକା ଜରିଆରେ ୩୯ ବଲରୁ ୫୭ ରନ୍ କରିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୩୬ ବଲରୁ ୪୭ ରନର ଇନିଙ୍ଗସ୍ ଖେଳିଥିଲେ । ହାର୍ଦିକ ପାଣ୍ଡ୍ୟା ମଧ୍ୟ ଦର୍ଶନୀୟ ସଟ୍ ମାରି ୧୩ ବଲରୁ ୨ଟି ଛକା ଓ ଗୋଟିଏ ଚୌକା ମାଧ୍ୟମରେ ୨୩ ରନ୍ କରିଥିଲେ । ଜାଡ଼େଜା ୧୭ ରନ୍ କରି ନଟ୍ଆଉଟ୍ ରହିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିଲା । ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ଇନିଙ୍ଗସ୍ ଆରମ୍ଭ କରିଥିବା ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ ହରାଇଚାଲିଥିଲା । ମାତ୍ର ୨୬ ରନରେ ପ୍ରଥମ ୱିକେଟ ହରାଇଥିଲା ଇଂଲଣ୍ଡ । ଜୋସ୍ ବଟଲର ୨୩ ରନ୍ କରି ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଥିଲା । ହାରି ବ୍ରୁକ୍ ୨୫ ଓ ଜୋଫ୍ରା ଅର୍ଚର ୨୧ ରନର ଇନିଙ୍ଗସ୍ ଖେଳିଥିଲେ ।

ଭାରତୀୟ ବୋଲରମାନଙ୍କ ପ୍ରଦର୍ଶନ ଚମକ୍ରାର ରହିଥିଲା । ଦୁଇ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେହିପରି ଯଶପ୍ରୀତ ବୁମରା ୨ଟି ୱିକେଟ ପାଇଥିଲେ । ଭାରତୀୟ ଦଳର ଫିଲଡିଂ ବି ବେଶ୍ ଭଲ ରହିଥିଲା । ଲିଆମ ଲିଭିଂଷ୍ଟୋନ ଓ ଆଦିଲ ରସିଦ ରନ୍ ଆଉଟ୍ ହୋଇଥିଲେ । ଫଳରେ ଇଲଂଣ୍ଡ ମାତ୍ର ୧୦୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ୨୯ ତାରିଖରେ ଫାଇନାଲ ଖେଳାଯିବ ।