ଟିମ୍ ଇଣ୍ଡିଆ ପୂର୍ବତନ ଫୁଟବଲ କୋଚଙ୍କ ବଡ ଭୁଲ । ଭାରତର ଭୁଲ ମାନଚିତ୍ର ଦେଖାଇଲେ, କ୍ଷମା ମାଗିଲେ ।

162

କନକ ବ୍ୟୁରୋ: ଭାରତୀୟ ଫୁଟବଲ ଟିମର ପୂର୍ବତନ କୋଚ୍ ଷ୍ଟିଫେନ୍ କନଷ୍ଟେଟାଇନ୍ ଏକ ବଡ ଭୁଲ କରିଦେଇଥିଲେ, ଯାହା ପାଇଁ ସେ ସମସ୍ତ ଭାରତୀୟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । କାରଣ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇବାକୁ ଯାଇ ସେ ଟ୍ୱିଟରରେ ଭାରତ ମାନଚିତ୍ରର ଏକ ତ୍ରୁଟିପୂର୍ଣ୍ଣ ମାନଚିତ୍ରକୁ ପୋଷ୍ଟ କରିଦେଇଥିଲେ । ୟୁଜର୍ସ ତାଙ୍କୁ ତାଙ୍କ ଭୁଲ ବିଷୟରେ ଅବଗତ କରାଇବା ପରେ ଏହି ଟ୍ୱିଟକୁ ଡିଲିଟ୍ କରିବା ସହ ସାରା ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି କନଷ୍ଟେଟାଇନ୍ ।

ସୂଚନା ମୁତାବକ, ଦେଶର ୭୬ ତମ ସ୍ୱାଧୀନତା ଦିବସ ଅବସରରେ କନଷ୍ଟେଟାଇନ୍ ନିଜ ଟ୍ୱିଟରରେ ଭାରତର ଏକ ମ୍ୟାପ୍ ପୋଷ୍ଟ କରିଥିଲେ, ହେଲେ ଏହି ମାନଚିତ୍ର ଭୁଲ ଥିଲା । ଏଥିରେ କାଶ୍ମୀରର ଅର୍ଦ୍ଧେକ ଅଂଶକୁ ଦେଖାଯାଇନଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କନଷ୍ଟେଟାଇନ୍ ନିଜର ଭୁଲ ବୁଝିପାରି ଏହାକୁ ଡିଲିଟ୍ କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରି ପୁଣିଥରେ ଶୁଭେଚ୍ଛା ଜଣାଇଥିଲେ ।