ରୋହିିତ ଶର୍ମା ଆଉଟ ହେବା କ୍ଷଣି ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ବ୍ୟାଟିଂ କରିବାକୁ ଆସିଲେ ଜ୍ରାଭୋ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।

572

କନକ ବ୍ୟୁରୋ : ଲିଡସରେ ଭାରତ-ଇଂଲଣ୍ଡ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ଗୋଟିଏ ପଟେ ଇଂଲଣ୍ଡ ମ୍ୟାଚ୍ ଜିତିବାକୁ ଉଦ୍ୟମ ଜାରି ରଖିଛି ଅନ୍ୟପଟେ ଭାରତ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି । ଅବଶ୍ୟ ମ୍ୟାଚର ତୃତୀୟ ଦିନ ଟିମ୍ ଇଣ୍ଡିଆ ବେଶ ସର୍ତକତାର ସହ ବ୍ୟାଟିଂ କରିବା ସହ ୱିକେଟ ବଞ୍ଚାଇ ରଖିଛି । ତେବେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ଟି ୱିକେଟ ହରାଇଛି । ହାତରେ ଆଉ ୨ ଦିନର ଖେଳ ବାକି ଥିବା ବେଳେ ଭାରତ ଏବେ ମଧ୍ୟ ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ସ୍କୋର ଠାରୁ ୧୩୯ ରନ ପଛରେ ରହିଛି । ଏଭଳି ସ୍ଥିତିରେ ୱିକେଟ ବଞ୍ଚାଇବା ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । କିନ୍ତୁ ମ୍ୟାଚର ତୃତୀୟ ଦିନରେ ପଡିଆରେ ଦେଖିବାକୁ ମିଳିଥିଲା କିଛି ମଜାଳିଆ ଦୃଶ୍ୟ । ରୋହିତ ଶର୍ମା ଆଉଟ ହେବା ପରେ ପଡିଆକୁ ଭାରତୀୟ ଟିମର ଜର୍ସି ପିନ୍ଧି ପହଞ୍ଚିଥିଲେ ଜ୍ରାଭୋ । ମ୍ୟାଚର ୪୮ତମ ଓଭରରେ ପ୍ୟାଡ, ହେଲମେଟ, ଗ୍ଲୋଭସ ପିନ୍ଧି ବ୍ୟାଟିଂ କରିବାକୁ ପହଞ୍ଚିଥିଲେ ଜ୍ରାଭୋ । ଆଉ ପଡିଆ ମଝିରେ ଜ୍ରାଭୋଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ । ତେବେ କିଛି ସମୟ ମଧ୍ୟରେ ସୁରକ୍ଷାକର୍ମୀ ପହଞ୍ଚି ଜ୍ରାଭୋଙ୍କୁ ଗ୍ରାଉଣ୍ଡ ବାହାରକୁ ନେଇଥିଲେ । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହାପୂର୍ବରୁ ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପଡିଆରେ ହଠାତ୍ ଜ୍ରାଭୋଙ୍କର ଆର୍ବିଭାବ ହୋଇଥିଲା । ତାଙ୍କର ଆଚରଣ ପୂରା ଖେଳାଳୀଙ୍କ ପରି ରହିଥିଲା । ଭାରତୀୟ ଖେଳାଳୀ ଯେଉଁଠି ଛିଡା ହୋଇଥିଲେ ସେଠାରେ ପହଞ୍ଚି  ଜ୍ରାଭୋ ଫିଲ୍ଡିଂ କରିବା ଭଳି ଛିଡା ହୋଇଥିଲେ । ତେବେ ସୁରକ୍ଷାକର୍ମୀ ତାଙ୍କୁ ପଡିଆ ବାହାରକୁ ଯିବାକୁ କହିବାରୁ ଭାରତର ଜର୍ସି ଦେଖାଇ ନିଜକୁ ଭାରତୀୟ ଖେଳାଳୀ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ ଜ୍ରାଭୋ । ଆଉ ଜ୍ରାଭୋଙ୍କ ଏଭଳି ଭାବଭଙ୍ଗୀ ଦେଖି ଜାଡେଜା ଓ ସିରାଜ ମଧ୍ୟ ନିଜ ହସ ରୋକି ପାରିନଥିଲେ ।

ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ ବିନିମୟରେ ୨୧୫ ରନ୍ କରିଛି । ଏବେ ମଧ୍ୟ ଭାରତ ୧୩୯ ରନରେ ପଛୁଆ ଥିବା ବେଳେ ମ୍ୟାଚ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛି । ପୂଜାରା ୯୧ ରନ୍ କରିଥିବା ବେଳେ ବିରାଟ କୋହଲି ୪୫ ରନ୍ କରି ଅପରାଜିତ ରହିଛନ୍ତି ।