କନକ ବ୍ୟୁରୋ : ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଛି ଭାରତ । ବାଂଲାଦେଶକୁ ୯ ୱିକେଟରେ ମାତ୍ ଦେଇ ସହଜସାଧ୍ୟ ବିଜୟ ହାସଲ ସହ ଫାଇନାଲ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡଙ୍କ ଉପଯୋଗୀ ୪୦ ରନର ଇନିଂସ ବଳରେ ଭାରତ ୯୭ ରନର ବିଜୟଲକ୍ଷ୍ୟକୁ ମାତ୍ର ୯.୨ ଓଭରରେ ହାସଲ କରି ନେଇଥିଲା ।

Advertisment

ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇ ବାଂଲାଦେଶକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ସେହିଭଳି ୱାସିଂଟନ ସୁନ୍ଦର ୨ଟି, ଅର୍ଶଦୀପ, ତିଲକ ବର୍ମା, ରବି ବିଷ୍ଣୋଇ, ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏହି ମୁକାବିଲାରେ ବିଜେତା ଟିମ୍ ଫାଇନାଲରେ ଭାରତକୁ ଭେଟିବ । ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛି । ସେମିଫାଇନାଲରେ ପାକିସ୍ତାନକୁ ମାତ୍ ଦେବା ପୂର୍ବରୁ ଭାରତ କ୍ୱାର୍ଟର ଫାଇନାଲ ମୁକାବିଲାରେ ନେପାଳକୁ ୨୩ ରନରେ ପରାଜିତ କରିଥିଲା ।