୧୯ ବର୍ଷରୁ କମ ଜୁନିୟର ବିଶ୍ୱକପ । ୧୦ ୱିକେଟରେ ପାକିସ୍ତାନକୁ ମାତ୍ ଦେଇ ଫାଇନାଲରେ ଟିମ୍ ଇଣ୍ଡିଆ, ଯଶସ୍ୱୀଙ୍କ ଦମଦାର ଶତକ ।

656

କନକ ବ୍ୟୁରୋ : ସୁପରହିଟ ସେମିଫାଇନାଲରେ ବାଜି ମାରିଲା ଟିମ୍ ଇଣ୍ଡିଆ । ୧୯ ବର୍ଷରୁ କମ  ଜୁନିୟର ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନକୁ ୧୦ ୱିକେଟରେ ମାତ୍ ଦେଇ ଦମଦାର ବିଜୟ ହାସଲ କଲା ଭାରତ । ଯଶସ୍ୱୀଙ୍କ ଧୂଆଁଧାର ଶତକ ଓ ଦିବ୍ୟାଂଶଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୭ମ ଥର ପାଇଁ ଫାଇନାଲ ଟିକେଟ ହାତେଇଛି ଭାରତୀୟ ଜୁନିୟର ଟିମ୍ । ଏହାସହ ଟାଇଟଲ ହାତେଇବା ପାଇଁ ଆଉ ଗୋଟିଏ ପାଦ ଦୂରରେ ରହିଛି ଭାରତ ।

ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ପାକିସ୍ତାନ । ତେବେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲା ପାକ୍ । କେବଳ ହାଇଦର ଅଲ୍ଲୀ  ଓ ଅଧିନାୟକ ରୋହାଲି ନାଜିରଙ୍କୁ ଛାଡିଦେଲେ ଅନ୍ୟ ସବୁ ବ୍ୟାଟସମ୍ୟାନ ଭାରତର ଶକ୍ତିଶାଳୀ ବୋଲିଂ ବାହିନୀ ଆଗରେ ଆତ୍ମସର୍ମପଣ କରିଥିଲେ । ୧୭୨ ରନରେ ପୂରା ଟିମ୍ ଫେରିଥିଲା ପ୍ୟାଭିଲିୟନ ।

୧୭୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପ୍ରଥମରୁ ବେଶ ସର୍ତକତାର ସହ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରାରମ୍ଭିକ ଯୋଡି ଯଶସ୍ୱୀ ଯଶୱାଲ ଓ ଦିବ୍ୟାଂଶ ସାକସେନା କ୍ରିଜରେ ସେଟ୍ ହେବା ପରେ ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଏପରିକି ବିନା ୱିକେଟ ହରାଇ ୧୭୩ ରନର ଟାର୍ଗେଟକୁ ବେଶ ସହଜରେ ହାସଲ କରି ଫାଇନାଲରେ ଏଣ୍ଟ୍ରି ମାରିଛି ଭାରତ ।

ଚଳିତ ବିଶ୍ୱକପରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଅଭିଯାନ ଆରମ୍ଭ କରିଥିଲା । ବିଶ୍ୱକପ ଇତିହାସରେ ଭାରତ ସର୍ବାଧିକ ୪ଥର ଟାଇଟଲ ଜିତିଥିବା ବେଳେ ପୁଣିଥରେ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି ।  ଏହାଛଡା ବିଶ୍ୱକପରେ ଲଗାତାର ୧୧ଟି ମ୍ୟାଚ୍ ଜିତି ନୂଆ ରେକର୍ଡ କରିଛି ଟିମ୍ ଇଣ୍ଡିଆ । ୨୦୧୮ରେ ଭାରତ ୬ରୁ ୬ ମ୍ୟାଚ୍ ଜିତି ଅପରାଜେୟ ରହିବା ସହ ଟାଇଟଲ ହାତେଇଥିଲା । ସେହିଭଳି ୨୦୨୦ ବିଶ୍ୱକପରେ ଏଯାଏଁ ୫ରୁ୫ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ବିଶ୍ୱକପରେ ଲଗାତାର ୯ଟି ମ୍ୟାଚ୍ ଜିତିବାର ରେକର୍ଡ ଭାଙ୍ଗିଛି ଭାରତ ।