ଟିମ୍ ଇଣ୍ଡିଆର ବିଶ୍ୱକପ ଅଭିଯାନ । ତୃତୀୟ ଥର ବିଶ୍ୱକପ ଆଣିବାକୁ ଲଣ୍ଡନ ଗଲା ବିରାଟ ବ୍ରିଗେଡ୍ ।

318

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ବିଶ୍ୱକପ ଅଭିଯାନ । ୨୦୧୯ ଆଇସିସି କ୍ରିକେଟ୍ ବିଶ୍ୱକପ ପାଇଁ ଆଜି ଇଂଲଣ୍ଡ ଗସ୍ତ କରିଛି ଭାରତୀୟ କ୍ରିକେଟ୍ ଦଳ । ବିପକ୍ଷ ଦଳର ଦୁର୍ବଳତା ନୁହେଁ, ବରଂ ନିଜ ଦଳର ଷ୍ଟ୍ରଙ୍ଗ ପଏଂଟକୁ ନେଇ ଲଢ଼େଇ କରିବ ଟିମ୍ ଇଣ୍ଡିଆ । ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପଡ଼ିଆରେ ଖେଳାଳିମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ରହିବ । ଇଂଲଣ୍ଡ ପାଇଁ ଦଳର ଗସ୍ତ ପୂର୍ବରୁ ଏପର କିଛି ମନ୍ତ୍ର ଦେଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି । ବିଶ୍ୱକପରେ ହାଇଭୋଲଟେଜ୍ ମ୍ୟାଚଗୁଡ଼ିକରେ ଚାପଗ୍ରସ୍ତ ନହେବା ଉପରେ ସେ ଜୋର ଦେଇଛନ୍ତି । ଭାରତୀୟ ବୋଲର ମାନେ ଫ୍ରେସ୍ ଅଛନ୍ତି ଓ ସେମାନେ ଇଂଲଣ୍ଡ ପରିବେଶରେ ଚମତ୍କାର ପ୍ରଦର୍ଶନ କରିବେ ବୋଲି କୋହଲି କହିଛନ୍ତି । କୋଚ୍ ରବି ଶାସ୍ତ୍ରୀଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କୋହଲି ବିଶ୍ୱକପ ନେଇ ଦଳର ପ୍ରସ୍ତୁତି ଓ ମନୋବଳ ଉପରେ ଆଲୋଚନା କରିଛନ୍ତି ।

ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଲଢ଼େଇ ନେଇ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି । ପ୍ରତି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, ପ୍ରତି ବିପକ୍ଷ ଦଳକୁ ଗୁରୁତ୍ୱର ସହ ନେଇ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଖେଳାଳିମାନଙ୍କୁ ପଡ଼ିଆରେ ଲଢ଼ୁଆ ମନୋଭାବ ସହ ପ୍ରତିପକ୍ଷ ଟିମକୁ କଡ଼ା ଟକ୍କର ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ କୋହଲି ଏବେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାକୁ ଶ୍ରେଷ୍ଠ ବୋଲି ଶାସ୍ତ୍ରୀ କହିଛନ୍ତି ।

ମେ ୩୦ରୁ ଇଂଲଣ୍ଡରେ ଦ୍ୱାଦଶ ବିଶ୍ୱକପ୍ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଭାରତ ଜୁନ୍ ୫ରୁ ଏହାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହିଦିନ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ । ଜୁନ୍ ୧୬ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ଅନୁଷ୍ଠିତ ହେବ ଭାରତର ହାଇପ୍ରୋଫାଇଲ ମ୍ୟାଚ୍ । ଜୁଲାଇ ୧୪ରେ ଲର୍ଡସରେ ଫାଇନାଲ ମ୍ୟାଚ୍ ଖେଳାଯିବ ।