ବିଶାଖାପାଟଣା ଟେଷ୍ଟ ଜିତିଲା ଭାରତ: ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କଲା ଟିମ ଇଣ୍ଡିଆ

329

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ଭାରତ । ଏହି ମ୍ୟାଚରେ ଟିମ ଇଣ୍ଡିଆ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି । ଏହାସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି ।

ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଛମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲା ବେଳେ କେବଳ ଜୟସ୍ୱାଲ ୨୦୯ ରନର ବିଶାଳ ପାଳି ଖେଳି ଦଳୀୟ ସ୍କୋରକୁ ୩୯୬ରେ ପହଞ୍ଚାଇଥିଲେ । ସେହିପରି ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଜ୍ୟାକ କ୍ରୱେଲ ୭୬ ରନ କରିଥିଲେ ।

ସେହିପରି ଦ୍ୱିତୀୟ ଇଂନିସରେ ବି ଭାରତର ସ୍ଥିତି ସମାନ ହୋଇଥିଲା । ଏହି ଇଂନିସରେ ଶୁଭମନ ଗିଲ ଶତକୀୟ ପାଳି ଖେଳିଥିଲେ । ଫଳରେ ଦଳ ୨୫୫ ରନ କରିବା ସହ ଇଂଲଣ୍ଡକୁ ୩୯୯ ରନର ବିଶଳ ଟାର୍ଗେଟ ଦେଇଥିଲା । ଯାହାକୁ ପିଛା କରି ଇଂଲଣ୍ଡ ଦଳ ୨୯୨ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୧୦୬ ରନରେ ଜିତି ନେଇଛି ।