ମହେନ୍ଦ୍ର ସିଂହ ଧୋନୀ, ରାହୁଲ ଦ୍ରାବିଡ ଓ ବିରାଟ କୋହଲି – କିଏ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଅଧିନାୟକ? ଏମିତି ଉତ୍ତର ରଖିଲେ ରାଇନା…

241

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀ, ରାହୁଲ ଦ୍ରାବିଡ ଓ ବିରାଟ କୋହଲି । ଏହି ତିନି ଜଣ ଭାରତୀୟ ଅଧିନାୟକଙ୍କ ମଧ୍ୟରୁ ଦଳର କିଏ ଶ୍ରେଷ୍ଠ ଅଧିନାୟକ ଥିଲେ, ସେନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁରେଶ ରାଇନା । ଜାତୀୟ ସ୍ତରର ଏକ ଚ୍ୟାନେଲରେ ଭାଗ ନେଇ ରାଇନା ଏହି କଥା କହିଛନ୍ତି ।

ରାଇନାଙ୍କ କହିବା ମୁତାବକ, ସେ ଯେତେବେଳେ ଟିମରେ ସାମିଲ ହେଲେ , ସେତେବେଳେ ଟିମ୍ ଇଣ୍ଡିଆ ଏକ ନୂଆ ରୂପରେ ତିଆରି ହେଉଥିଲା । ସେ ସମୟରେ ଦଳର ଅଧିନାୟକ ଥାନ୍ତି ରାହୁଲ ଦ୍ରାବିଡ । ତାଙ୍କ ପରେ ଧୋନୀଙ୍କ ନେତୃତ୍ୱରେ ଦଳ ଦୁଇ ଦୁଇଟି ବିଶ୍ୱକପ୍ ଜିତିଥିଲା । ତା ସହିତ ବିରାଟ କୋହଲିଙ୍କ ନେତୃତ୍ୱରେ ମଧ୍ୟ ଦଳ ଭଲ ପ୍ରଦର୍ଶନ ଦେଇ ଆସୁଛି । ହେଲେ ତାଙ୍କ ମତରେ ଯଦି ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଅଧିନାୟକ କିଏ ସେ କହିବେ । ତେବେ ଏହି ଲିଷ୍ଟରେ ପ୍ରଥମେ ଧୋନୀ ପରେ ଦ୍ରାବିଡ୍ ଏବଂ ଶେଷକୁ ବିରାଟ କୋହଲି ଆସିବେ ।

ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅନେକ ରେକର୍ଡ କରିଥିଲା । ୨୦୦୭ ମସିହାରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ହିଁ ହରାଇ ଟେଷ୍ଟ ସିରିଜ୍ ଜିତିଥିଲା । ସେହିପରି ଧୋନୀଙ୍କ ନେତୃତ୍ୱରେ ମଧ୍ୟ ୨୦୦୭ ବିଶ୍ୱକପ୍ , ୨୦୧୧ ବିଶ୍ୱକପ୍ ଜିତିଥିଲା ଭାରତୀୟ କ୍ରିକେଟ୍ ଦଳ । ଏହାପରଠାରୁ ଏବେ ପଯ୍ୟନ୍ତ ବିରାଟ କୋହଲି ଦଳର ନେତୃତ୍ୱ ନେଇ ଆସୁଛନ୍ତି । ତେଣୁ ରାଇନା ଏଭଳି ଭାବରେ ଟିମ୍ ଇଣ୍ଡିଆର ୩ ଜଣ ଶ୍ରେଷ୍ଠ ଅଧିନାୟକ ବାଛିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଇନା ଟିମ୍ ଇଣ୍ଡିଆର ଜଣେ ଆଗଧାଡିର ବ୍ୟାଟ୍ସମ୍ୟାନ ଥିଲେ ଏବଂ ଏହି ତିନି ଜଣ ଅଧିନାୟକଙ୍କ ନେତୃତ୍ୱରେ ମ୍ୟାଚ୍ ଖେଳିଥିଲେ । ଟି-୨୦, ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଶତକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।